ଆମ ଓଡ଼ିଶାରେ ଅନେକ ପର୍ବପର୍ବାଣୀ ପାଳନ କରାଯାଏ। ରଥଯାତ୍ରା, ଦୀପାବଳି, ହୋଲି, ରଜ, ନୂଆଖାଇ, ମକର ସଂକ୍ରାନ୍ତି ଓ ମାଣବସା ଗୁରୁବାର ଆଦି ପର୍ବରେ ଆମ ଘର ଓ ଆଖପାଖ ଖୁବ୍ ସୁନ୍ଦର ଭାବରେ ସଜା ହୁଏ। ଏହି ସବୁ ସାଜସଜ୍ଜା ମଧ୍ୟରେ ଅନେକ ପ୍ରକାରର ସୁନ୍ଦର ସଂରଚନା ବା ଧାଡ଼ିର କ୍ରମ ଦେଖିବାକୁ ମିଳେ। ଘର ଆଗରେ ଝୋଟି ପକାଇବା, ଦଉଡ଼ିରେ ଆମ୍ବପତ୍ର ଓ ଫୁଲ ଲଗାଇ ତୋରଣ ବାନ୍ଧିବା ଏବଂ ଧାଡ଼ି କରି ଦୀପ ଲଗାଇବାରେ ନିର୍ଦ୍ଦିଷ୍ଟ ନିୟମ ଥାଏ।
ଏହି ଅଧ୍ୟାୟରେ ଆମେ ବିଭିନ୍ନ ପ୍ରକାରର ସଂରଚନା ବିଷୟରେ ଶିଖିପାରିବା। ଗୋଟିଏ ପରେ ଗୋଟିଏ ଜିନିଷକୁ ନିୟମ ଅନୁସାରେ ସଜାଇ ରଖିଲେ ସଂରଚନା ତିଆରି ହୁଏ। ଯେପରି ଗୋଟିଏ ଗୋଡ଼ି ପରେ ଗୋଟିଏ କାଠି ରଖିବା, ଗୋଟିଏ ଦୀପ ପରେ ଗୋଟିଏ ମହମବତୀ ରଖିବା କିମ୍ବା ଗୋଟିଏ ଫୁଲ ପରେ ଦୁଇଟି ପତ୍ର ସଜାଇବା। ସେହିପରି ବିଭିନ୍ନ ରଙ୍ଗ ଓ ଆକୃତି ବ୍ୟବହାର କରି ମଧ୍ୟ ସଂରଚନା କରାଯାଏ। ଲାଲ୍ ରଙ୍ଗ ପରେ ନୀଳ ରଙ୍ଗ, ତ୍ରିଭୁଜ ପରେ ବର୍ଗଚିତ୍ର ଏବଂ ଉପରମୁହାଁ ତୀର ପରେ ଡାହାଣମୁହାଁ ତୀର ରଖି ଏହି କ୍ରମକୁ ଆଗକୁ ବଢ଼ାଯାଇପାରେ। ଆମ ହାତର ଆଙ୍ଗୁଠି ଟିପରେ ରଙ୍ଗ ଲଗାଇ କିମ୍ବା କଟା ପନିପରିବା ସାହାଯ୍ୟରେ ଛାପ ଦେଇ ମଧ୍ୟ ନୂଆ ନୂଆ ଚିତ୍ର ଓ ସଂରଚନା ଗଢ଼ାଯାଇପାରେ।
ସଂରଚନାରେ ସଂଖ୍ୟାର କ୍ରମ ମଧ୍ୟ ରହିଥାଏ। ଉଦାହରଣ ସ୍ୱରୂପ, ୧, ୩, ୫, ୭ କିମ୍ବା ୨, ୪, ୬, ୮ ଏବଂ ୧୦, ୨୦, ୩୦, ୪୦ ଭଳି ସଂଖ୍ୟାଗୁଡ଼ିକ ଏକ ନିର୍ଦ୍ଦିଷ୍ଟ କ୍ରମରେ ଆଗକୁ ବଢ଼ିଥାଏ। ଛାଡ଼ିଯାଇଥିବା ସ୍ଥାନରେ କେଉଁ ସଂଖ୍ୟା ବସିବ, ତାହା ଚିନ୍ତା କରି ଆମେ ସହଜରେ ଲେଖିପାରିବା।
ଘରେ ମାଆଙ୍କ ସହିତ ମିଶି ବିନ୍ଦୁ ଯୋଡ଼ି ଝୋଟି ଆଙ୍କିବା, ତାଳି ବଜାଇବା କିମ୍ବା ଗୋଡ଼ି, ପତ୍ର ଓ ଚୁଡ଼ି ସଜାଇ ଆମେ ନିଜେ ମଧ୍ୟ ସଂରଚନା ତିଆରି କରିପାରିବା। ଆମ ଚାରିପାଖରେ ଥିବା ଗଛପତ୍ର, ପ୍ରଜାପତି, ଲୁଗାପଟା, ମନ୍ଦିର ଓ କୋଠାବାଡ଼ିରେ ଅନେକ ସୁନ୍ଦର ସଂରଚନା ଲୁଚି ରହିଛି।