କୁନି ଝିଅ କଳ୍ପନା ବହୁତ ଶାନ୍ତ ଓ ଭଲ ସ୍ୱଭାବର ଝିଅଟିଏ। ସେ ସବୁବେଳେ କମ୍ କଥା କହେ ଏବଂ କେବେ ମିଛ ନ କହି ସତ କଥା କହିଥାଏ। ତାହାକୁ ନୂଆ ନୂଆ ଗଳ୍ପ ଶୁଣିବା ପାଇଁ ଖୁବ୍ ଭଲ ଲାଗେ। ଥରେ କଳ୍ପନାର ଜନ୍ମଦିନ ପାଖେଇ ଆସିଲା। ଜନ୍ମଦିନରେ କିଛି ଗୋଟିଏ ଭଲ କାମ କରିବା ପାଇଁ ସେ ନିଜ ମନରେ ସଂକଳ୍ପ କଲା। ତେଣୁ ସେ ନିଜ ବାପାଙ୍କୁ କହିଲା ଯେ ତା’ର ଜନ୍ମଦିନ ପାଇଁ ବେଲୁନ, କେକ୍ କିମ୍ବା ମହମବତୀ କିଛି ବି ଦରକାର ନାହିଁ। ସେଗୁଡ଼ିକ କିଣିବା ବଦଳରେ ସେ ନିଜ ଘର ବାଡ଼ିରେ ଲଗାଇବା ପାଇଁ ଗୋଟିଏ ଫଳଗଛ ଆଣିଦେବାକୁ ବାପାଙ୍କୁ ଅନୁରୋଧ କଲା।
ଝିଅର ଏପରି ସୁନ୍ଦର କଥା ଶୁଣି ବାପା ବହୁତ ଖୁସି ହୋଇଗଲେ। ତା’ପରେ ବାପା ଓ କଳ୍ପନା ଦୁହେଁ ମିଶି ପାଖରେ ଥିବା ଏକ ଚାରା ଉଦ୍ୟାନକୁ ଗଲେ। ସେଠାରେ ଦୁହେଁ କଥାବାର୍ତ୍ତା ହୋଇ ଗୋଟିଏ ସୁନ୍ଦର ପିଜୁଳି ଗଛର ଚାରା କିଣି ଘରକୁ ଆଣିଲେ। ଘର ବାଡ଼ିରେ ବାପା ଗୋଟିଏ ଛୋଟ ଗାତ ଖୋଳିଦେଲେ। କଳ୍ପନା ବହୁତ ଆନନ୍ଦରେ ସେହି ଗାତରେ ଖତ ଦେଲା ଏବଂ ଗଛଟିକୁ ଭଲ ଭାବରେ ପୋତି ପାଣି ଦେଲା। ନିଜ ହାତରେ ଗଛଟିଏ ଲଗାଇ ତା’ ମନ ଖୁସିରେ ନାଚି ଉଠିଲା। ସତେ ଯେପରି ଗଛଟି ମଧ୍ୟ ହସି ହସି କଳ୍ପନାକୁ ସାବାସ୍ କହି ତା’ର ଭଲ କାମର ପ୍ରଶଂସା କରୁଥିଲା।
କଳ୍ପନା ପ୍ରତିଦିନ ନିୟମିତ ଭାବରେ ବାଡ଼ିକୁ ଯାଏ ଏବଂ ସେହି ପିଜୁଳି ଗଛର ଭଲ ଭାବରେ ଯତ୍ନ ନିଏ। ତା’ ହାତର ସ୍ନେହଭରା ସ୍ପର୍ଶ ଓ ଯତ୍ନ ପାଇ ଗଛଟି ଧୀରେ ଧୀରେ ବଡ଼ ହେବାକୁ ଲାଗିଲା। କିଛି ଦିନ ପରେ ଗଛଟି ଅନେକ ମିଠା ଓ ସୁଆଦିଆ ପିଜୁଳିରେ ପୂରି ଉଠିଲା। କଳ୍ପନା ଗଛରୁ ପିଜୁଳି ତୋଳି ନିଜେ ଖାଇଲା ଏବଂ ନିଜର ସାଙ୍ଗମାନଙ୍କୁ ମଧ୍ୟ ଖୁସିରେ ଖାଇବାକୁ ଦେଲା। ସାଙ୍ଗମାନେ ସେହି ସୁଆଦିଆ ପିଜୁଳି ଖାଇ ବହୁତ ଆନନ୍ଦିତ ହେଲେ।
କଳ୍ପନାର ଏହି ଗଛ ଲଗାଇବା କାର୍ଯ୍ୟକୁ ଦେଖି ଘର ଲୋକଙ୍କ ସହିତ ସବୁ ସାଙ୍ଗସାଥୀ ବହୁତ ପ୍ରଶଂସା କଲେ। ଗଛ ଲଗାଇବା ଯେ ଏକ ମହତ କାମ, ସେ କଥା ସମସ୍ତେ ବୁଝିପାରିଲେ। କଳ୍ପନାର ଭଲ କାମ ଦେଖି ତା’ର ସାଙ୍ଗମାନେ ମଧ୍ୟ ପ୍ରେରଣା ପାଇଲେ। ସେମାନେ ଶପଥ ନେଲେ ଯେ ନିଜ ନିଜ ଜନ୍ମଦିନରେ ସେମାନେ ମଧ୍ୟ ନିଶ୍ଚୟ ଗୋଟିଏ ଲେଖାଏଁ ଗଛ ଲଗାଇବେ। ଏହିପରି ଭାବରେ କଳ୍ପନା ନିଜ ଜନ୍ମଦିନକୁ ଏକ ଭଲ କାମ ମାଧ୍ୟମରେ ସ୍ମରଣୀୟ କରିବା ସହିତ ସମସ୍ତଙ୍କ ପାଇଁ ଏକ ସୁନ୍ଦର ଆଦର୍ଶ ପାଲଟିଗଲା।