ଏହି କବିତାରେ ପ୍ରକୃତିର ଭିନ୍ନ ଭିନ୍ନ ଜିନିଷଠାରୁ ଭଲ ଗୁଣ ଶିଖିବା ବିଷୟରେ କୁହାଯାଇଛି। ଫୁଲ ସବୁବେଳେ ହସିହସି ନିଜର ମନଲୋଭା ବାସ୍ନା ଚାରିଆଡ଼େ ବାଣ୍ଟିଥାଏ। ସେହିପରି ଆମେ ମଧ୍ୟ ସବୁବେଳେ ହସମୁଖ ରହି ଅନ୍ୟମାନଙ୍କ ମନରେ ଆନନ୍ଦ ଭରିଦେବା ଉଚିତ। କୋଇଲିର ମିଠା ସ୍ୱର ସମସ୍ତଙ୍କୁ ଭଲ ଲାଗେ। ଆମେ ମଧ୍ୟ ସଭିଙ୍କ ସହିତ ସବୁଦିନ ମିଠା କଥା କହିବା ଦରକାର। ଯେତେ ବଡ଼ ବିପଦ ଆସିଲେ ମଧ୍ୟ ଆମେ କାହାରି ମନରେ କେବେ ଦୁଃଖ ଦେବା ନାହିଁ।
ପାହାଡ଼ ଯେପରି ଗୋଟିଏ ଜାଗାରେ ଅଟଳ ଓ ସ୍ଥିର ହୋଇ ଠିଆ ହୋଇଥାଏ, ସେହିପରି ଆମେ ମଧ୍ୟ ଧୈର୍ଯ୍ୟ ଧରି ସ୍ଥିର ମନରେ ଆମର ସବୁ କାମ କରିବା ଉଚିତ। ଦେଶର ସେବା ପାଇଁ ନିଜର ଜୀବନ ଦେଇ ଦେଶର ନାମ ରଖିବା ପାଇଁ ସର୍ବଦା ଆଗେଇ ଆସିବା ଲୋଡ଼ା। ନଦୀ କାହାରି ପାଇଁ ନ ଅଟକି ନିରନ୍ତର ଆଗକୁ ବହିଚାଲେ ଏବଂ ଲୋକଙ୍କର ମଙ୍ଗଳ କରେ। ଆମେ ମଧ୍ୟ ନଦୀ ପରି ଆଗକୁ ବଢ଼ି ଲୋକଙ୍କର ହିତ ସାଧନ କରିବା ଉଚିତ। ସମାଜରେ ଥିବା ଗରିବ ଓ ଦୁଃଖୀ ଲୋକଙ୍କ ମୁହଁରେ ହସ ଫୁଟାଇ ସେମାନଙ୍କର ପ୍ରକୃତ ସାଙ୍ଗ ବା ମିତ ହେବା ଆବଶ୍ୟକ।
ସଂସାରରେ ଯେଉଁ ମଣିଷ ଅନ୍ୟର ଉପକାର କରେ ଏବଂ ସମସ୍ତଙ୍କୁ ନିଜର ବୋଲି ଭାବେ, ସିଏ ହିଁ ସବୁଠାରୁ ମହାନ। ପରର ହିତ କରୁଥିବା ଏହିପରି ଭଲ ଲୋକଙ୍କ ସହିତ ଏ ପୃଥିବୀରେ କେହି ସମାନ ହୋଇପାରିବେ ନାହିଁ। ତେଣୁ ଆମେ ପ୍ରକୃତିଠାରୁ ନମ୍ରତା, ସ୍ଥିରତା ଓ ସେବାଭାବ ଶିଖି ଅନ୍ୟମାନଙ୍କୁ ସାହାଯ୍ୟ କରିବା ଉଚିତ।