ଖେଳିବା ଦ୍ୱାରା ପିଲାମାନଙ୍କ ମନରେ ଉତ୍ସାହ ଓ ଆନନ୍ଦ ଭରିଯାଏ। ଏହା ଶରୀରକୁ ସୁସ୍ଥ, ସବଳ, ଦୃଢ଼ ଏବଂ ଫୁର୍ତ୍ତି ରଖିବାରେ ବିଶେଷ ସାହାଯ୍ୟ କରେ। ପିଲାମାନେ ନିଜର ସାଙ୍ଗସାଥୀଙ୍କ ସହିତ ମିଳିମିଶି ନଟୁ ବୁଲାଇବା, କବାଡ଼ି, ଲୁଚାଲୁଚି, ଖୋ-ଖୋ, ଲୁଡୁ ଓ ଦଉଡ଼ି ଡିଆଁ ପରି ବିଭିନ୍ନ ପ୍ରକାର ଘର ଭିତର ଓ ବାହାର ଖେଳ ଖେଳିଥାନ୍ତି। ଛୋଟ ପିଲାମାନେ କୌଶଳର ସହିତ ଖେଳି ସମସ୍ତଙ୍କ ମନ ଜିଣିବା ସହ ନୂଆ ନୂଆ ସୁନ୍ଦର ଭାବନାରେ ମନକୁ ସଜାନ୍ତି। କାଗଜ ରକେଟ ତିଆରି କରି ଆକାଶକୁ ଉଡ଼ାଇବା ଏବଂ ନିଜ ବୁଦ୍ଧି ବଳରେ ଜହ୍ନ ରାଇଜକୁ ଯାଇ ଘର ତୋଳିବା ସହ ଦେଶର ମାନ ବଢ଼ାଇବା ପାଇଁ ପିଲାମାନଙ୍କ ମନରେ ବହୁତ ଉତ୍ସାହ ଥାଏ।
ହକି ହେଉଛି ଆମ ଭାରତ ଦେଶର ପ୍ରଧାନ ଜାତୀୟ ଖେଳ। ଏହି ଖେଳଟି ଖେଳିବା ସମୟରେ ପିଲାମାନଙ୍କୁ ଭାରି ଆନନ୍ଦ ମିଳେ ଏବଂ ଖେଳୁ ଖେଳୁ ବେଳ କିପରି ବିତିଯାଏ ତାହା ଜଣାପଡ଼େ ନାହିଁ। ହକି ଖେଳ ପାଇଁ ଆମ ଓଡ଼ିଶା ରାଜ୍ୟ ସାରା ପୃଥିବୀରେ ବେଶ୍ ପରିଚିତ ଓ ପ୍ରଶଂସିତ ହୋଇଛି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଏବଂ ରାଉରକେଲା ସହରରେ ବିଶ୍ୱକପ୍ ହକି ଖେଳର ସଫଳ ଆୟୋଜନ କରାଯାଇଥିଲା। ଏହି ବଡ଼ ସଫଳତା ଯୋଗୁଁ ସାରା ଜଗତରେ ଆମ ରାଜ୍ୟର ଗୌରବ ବହୁତ ବୃଦ୍ଧି ପାଇଛି। ବିଶେଷ କରି ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲା ହକି ଖେଳରେ ସବୁଠାରୁ ଆଗୁଆ ଅଟେ। ଏହି ଜିଲ୍ଲା ଅନେକ ବଡ଼ ବଡ଼ ଦକ୍ଷ ଖେଳାଳି ସୃଷ୍ଟି କରିଛି, ଯେଉଁମାନେ ଦେଶ ବିଦେଶରେ ଖେଳି ଓଡ଼ିଶା ତଥା ଭାରତ ପାଇଁ ବିଜୟ ହାସଲ କରିଛନ୍ତି। ଆମ ଓଡ଼ିଶା ସବୁବେଳେ ଗାଁ ଗଣ୍ଡାରୁ ନୂଆ ନୂଆ ପ୍ରତିଭାବାନ ଖେଳାଳିମାନଙ୍କୁ ଖୋଜି ଆଗକୁ ଆଣିବା ପାଇଁ ସୁଯୋଗ ଦେଉଛି।
ପିଲାମାନେ ବିଦ୍ୟାଳୟରେ ମନ ଦେଇ ପାଠ ପଢ଼ିବା ସହିତ ସ୍କୁଲ ଛୁଟି ହେଲେ ପଡ଼ିଆକୁ ଯାଇ ବଙ୍କୁଲିବାଡ଼ିରେ ବଲ୍ ମାରି ହକି ଖେଳର ନିୟମିତ ଅଭ୍ୟାସ କରନ୍ତି। ଖେଳରେ ହାରିବା କିମ୍ବା ଜିତିବା ଲାଗି ରହିଥାଏ। ତେଣୁ ଖେଳରେ ହାରିଗଲେ କେବେ ମନଦୁଃଖ କରିବା ଉଚିତ ନୁହେଁ। ହାରିବା ହିଁ ମଣିଷକୁ ପରବର୍ତ୍ତୀ ସମୟରେ ଜିତିବାର ପ୍ରକୃତ କଳା ଶିଖାଇଥାଏ। ଖେଳ ଆମକୁ ବିପଦ-ଆପଦ ସମୟରେ ଏକାଠି ରହିବା, ସାଙ୍ଗସାଥୀଙ୍କ ସହିତ ସହଯୋଗ କରିବା ଏବଂ ‘ଏକତା ହିଁ ବଳ’ ନୀତିରେ ଆଗକୁ ବଢ଼ିବା ପାଇଁ ଉତ୍ତମ ଶିକ୍ଷା ଦେଇଥାଏ।