ରବିବାର ଦିନ ଦିପୁନ୍ ବଗିଚାରେ ଖେଳୁଥିବା ବେଳେ ଘର ଭିତରୁ ବାପା ତାକୁ ଡାକିଲେ। ବାପା ବୋଧହୁଏ ପାଠ ପଢ଼ିବା ପାଇଁ ଡାକୁଛନ୍ତି ଭାବି ଦିପୁନ୍ର ମନ ଖରାପ ହୋଇଗଲା। ସେ ବ୍ୟସ୍ତ ହୋଇ ଗଛ ତଳେ ବସିପଡ଼ିଲା ଏବଂ ଭାବିଲା ଯେ ତାକୁ ସବୁବେଳେ ଖାଲି ପାଠ ପଢ଼ିବାକୁ ପଡ଼ୁଛି।
ଏତିକିବେଳେ ଗୋଟିଏ ମହୁମାଛି ଫୁଲ ଉପରେ ବସିବା ଦେଖି ଦିପୁନ୍ ଭାବିଲା ଯେ ମହୁମାଛି କେତେ ମଜାରେ ଅଛି, ତାକୁ ପାଠ ପଢ଼ିବାକୁ ପଡ଼ୁନାହିଁ। ମାତ୍ର ମହୁମାଛି କହିଲା ଯେ ସେ ଫୁଲରୁ ଫୁଲ ବୁଲି କଠିନ ପରିଶ୍ରମ କରି ମହୁ ସଂଗ୍ରହ କରେ ଏବଂ ତାହା ଅନ୍ୟ ଲୋକଙ୍କ କାମରେ ଲାଗେ। ଏହାପରେ ଘରର ପୋଷା କୁକୁରଟି ପାଖକୁ ଆସିବାରୁ ଦିପୁନ୍ ଭାବିଲା କୁକୁରର ଜୀବନ କେତେ ସହଜ। କିନ୍ତୁ କୁକୁର ବୁଝାଇଲା ଯେ ସେ ରାତିସାରା ଘର ଜଗି ସମସ୍ତଙ୍କୁ ସୁରକ୍ଷା ଦିଏ। ତା’ପରେ ଗାଈଟି କହିଲା ଯେ ସେ ଦିନସାରା ଘାସ ଚରି ଘରକୁ କ୍ଷୀର ଦିଏ, ଯାହାଦ୍ୱାରା ମାଲିକର ପରିବାର ଚଳେ। ସମସ୍ତେ ନିଜ କାମ ଠିକ୍ ଭାବେ କରନ୍ତି ବୋଲି ହିଁ ଖୁସିରେ ରହନ୍ତି।
ବାପାଙ୍କ ଡାକ ମନେପଡ଼ିବାରୁ ଦିପୁନ୍ ଘର ଭିତରକୁ ଗଲା। ସେଠାରେ ସେ ଦେଖିଲା ଯେ ବାପା-ମାଆ ରୋଷେଇ କରୁଛନ୍ତି ଏବଂ ଚିଙ୍କି ଦିଦି ହୁଇଲ୍ ଚେୟାରରେ ବସି ନିଜ ଚିତ୍ରରେ ରଙ୍ଗ ଭରୁଛି। ବାପା ତାକୁ ପଢ଼ିବା ପାଇଁ ନୁହେଁ, ବରଂ ଖାଇବାକୁ ଦହିବରା ବଢ଼ାଇଦେଲେ। ଦିପୁନ୍ ବୁଝିପାରିଲା ଯେ ଘରର ସମସ୍ତେ ତା’ର ଯତ୍ନ ନେଉଛନ୍ତି ଏବଂ ନିଜ ନିଜ କାମ ମଧ୍ୟ କରୁଛନ୍ତି।
ଦିପୁନ୍ ଦହିବରା ଖାଇସାରି ନିଜେ ଥାଳିଟିକୁ ଧୋଇ ରଖିଦେଲା। ସେ ସ୍ଥିର କଲା ଯେ ଆଜିଠାରୁ ସେ ନିଜ ଗୃହକାର୍ଯ୍ୟ ଶେଷ କରିବ, ଠିକ୍ ସମୟରେ ପାଠ ପଢ଼ିବ ଏବଂ ଠିକ୍ ସମୟରେ ଖେଳିବ। ପୁଅର ଏପରି ପରିବର୍ତ୍ତନ ଦେଖି ବାପା ଖୁସି ହୋଇ ତା’ ପିଠି ଥାପୁଡ଼େଇ ତାକୁ ସୁନାପିଲା ବୋଲି କହିଲେ। ଏହି ବିଷୟରୁ ଆମେ ଶିଖିବାକୁ ପାଉ ଯେ ସଂସାରରେ ସମସ୍ତଙ୍କର କିଛି ନା କିଛି କାମ ରହିଛି। ଆମେ ନିଜ କାମ ନିଷ୍ଠାର ସହିତ କଲେ ହିଁ ପ୍ରକୃତ ଆନନ୍ଦ ମିଳିଥାଏ।