'ତୁମ ପରି ଛୋଟ ପିଲାଟିଏ' କବିତାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପିଲାଦିନର ଏକ ପ୍ରେରଣାଦାୟୀ ଘଟଣା ବର୍ଣ୍ଣନା କରାଯାଇଛି। ସେ ପିଲାଦିନେ ଗାଁ ଚାହାଳିରେ ପାଠ ପଢ଼ୁଥିଲେ। ସେ ଦେଖିବାକୁ ଯେପରି ଡଉଲଡାଉଲ ଥିଲେ, ବୁଦ୍ଧିରେ ମଧ୍ୟ ସେତିକି ଚତୁର ଥିଲେ। ଦିନେ ଝଡ଼ିବର୍ଷା ଛାଡ଼ିବା ପରେ ସେ ପାଠ ପଢ଼ିବା ପାଇଁ ଚାହାଳିକୁ ବାହାରିଲେ। ବାଟରେ ଯାଉଥିବା ବେଳେ କାଦୁଅରେ ତାଙ୍କ ଗୋଡ଼ ଖସିଗଲା ଏବଂ ସେ ତଳେ ପଡ଼ିଗଲେ। ତାଙ୍କ ଦେହ ଓ ଲୁଗାପଟା ପାଣି କାଦୁଅରେ ସରସର ହୋଇଗଲା। କିନ୍ତୁ ସେ ସେଥିପ୍ରତି ତିଳେହେଁ ଖାତର ନ କରି ତରବର ହୋଇ ପାଠ ପଢ଼ିବା ପାଇଁ ଚାହାଳିରେ ପହଞ୍ଚିଲେ। ପାଠ ପ୍ରତି ତାଙ୍କର ଏପରି ନିଷ୍ଠା ଓ ଆଗ୍ରହ ଦେଖି ଗୁରୁଜୀ ଖୁସି ହୋଇଥିଲେ।
ଥରେ ଦଶହରା ଛୁଟି ସମୟରେ ସେ ନିଜ ସାଥୀ ପିଲାମାନଙ୍କୁ ଏକାଠି କଲେ। ସମସ୍ତେ ମିଶି ବାଲି, ଗୋଡ଼ି ଓ ମାଟି ପକାଇ ଗାଁର ଆବଡ଼ା-ଖାବଡ଼ା ଦାଣ୍ଡ ରାସ୍ତାକୁ ସମତୁଲ କଲେ। ଛୋଟ ପିଲାମାନଙ୍କର ଏହି ନିସ୍ୱାର୍ଥପର କାମ ଦେଖି ଗାଁ ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ। ଗୁରୁଜୀ ଚାଟସଭା ଡକାଇ ସମସ୍ତଙ୍କୁ ବୁଝାଇଲେ ଯେ ଏହିଭଳି ଭଲ କାମ କଲେ ଜୀବନରେ ଦିନେ ବଡ଼ ମଣିଷ ହୋଇହୁଏ।
ସେହି ଛୋଟ ପିଲାଟି ବଡ଼ ହୋଇ ‘ମଧୁ ବାରିଷ୍ଟର’ ଭାବରେ ପ୍ରସିଦ୍ଧି ଲାଭ କଲେ। ସେ ଓଡ଼ିଶା ତଥା ଦେଶ ପାଇଁ ଅନେକ ମହତ୍ କାମ କରି ଚିରକାଳ ପାଇଁ ନିଜର ଯଶ ରଖିଗଲେ। ସେ ଓଡ଼ିଆ ଜାତିକୁ ତା’ର ଅତୀତର ଗୌରବ ଓ ମହିମା ମନେ ପକାଇ ଦେଇଥିଲେ। ତାଙ୍କର ତେଜସ୍ୱୀ ବାଣୀ ଲୋକମାନଙ୍କ ମନରେ ନବ ଜାଗରଣ ଆଣିଦେଇଥିଲା ଏବଂ କୋଟି କୋଟି ଜନତାଙ୍କ ମନକୁ ଆକର୍ଷିତ କରିଥିଲା। ଏହି ବିଷୟରୁ ଆମେ ଶିକ୍ଷା ପାଉ ଯେ ପିଲାଦିନରୁ ପାଠପଢ଼ା ପ୍ରତି ଏକାଗ୍ରତା ରଖିବା, ଅନ୍ୟମାନଙ୍କ ଉପକାର କରିବା ଏବଂ ଦେଶସେବା କରିବା ଆମ ସମସ୍ତଙ୍କର ପ୍ରଧାନ କର୍ତ୍ତବ୍ୟ।