ଖରାଦିନେ ସୋମୁନାର ଅଜା ଘରକୁ ଆସିବା ସମୟରେ ସାଙ୍ଗରେ ମିଠା ପାଚିଲା ଆମ୍ବ ଆଣିଥିଲେ ।
ମିଠା ଆମ୍ବ ଖାଇସାରିବା ପରେ ସୋମୁନା ତା’ର ଟାକୁଆକୁ ନିଜ ବଗିଚାରେ ଲଗାଇବା ପାଇଁ ସ୍ଥିର କଲା ।
ସୋମୁନା ବଗିଚାରେ ମାଟି ଖୋଳି ଗାତ କଲା ଏବଂ ସେଥିରେ ଆମ୍ବ ଟାକୁଆ ପୋତି ପାଣି ଦେଲା ।
ସୋମୁନା ପ୍ରତିଦିନ ସକାଳୁ ଉଠି ଟାକୁଆ ପୋତା ହୋଇଥିବା ସ୍ଥାନକୁ ସଫା କରି ପାଣି ଦେଉଥିଲା ।
କିଛି ଦିନ ଯାଏଁ ଗଛ ନ ଉଠିବାର ଦେଖି ସୋମୁନା ମନଦୁଃଖରେ ପାଣି ଦେବା ବନ୍ଦ କରିଦେଲା ।
ଦିନେ ବଗିଚାରେ ବୁଲୁଥିବା ବେଳେ ଟାକୁଆରୁ ଦୁଇଟି ପତର ମେଲିଥିବା ସୋମୁନା ହଠାତ୍ ଦେଖିବାକୁ ପାଇଲା ।
ମାଟିରୁ ଛୋଟ ଚାରାଗଛ ଉଠିଥିବା ଦେଖି ସୋମୁନା ଏବଂ ତା’ର ଭଉଣୀ ପାୟଲ ଖୁସିରେ ନାଚି ଉଠିଲେ ।
ସୋମୁନା ବାପାଙ୍କୁ ଡାକି ଅଜା ଆଣିଥିବା ମିଠା ଆମ୍ବର ଟାକୁଆରୁ ଗଛ ବାହାରିଥିବା କଥା ଦେଖାଇଲା ।
ଆର ବର୍ଷକୁ ଏହି ଗଛ ବଡ଼ ହୋଇ ମିଠା ଫଳ ଫଳିବ କି ବୋଲି ସୋମୁନା ବାପାଙ୍କୁ ପଚାରିଲା ।
ଆମ୍ବଗଛ ବଡ଼ ହୋଇ ଫଳ ଫଳିବା ପାଇଁ ଚାରିରୁ ପାଞ୍ଚ ବର୍ଷ ସମୟ ଲାଗେ ବୋଲି ବାପା କହିଲେ ।
ଫଳ ଫଳିବାକୁ ଡେରି ହେବ ଶୁଣି ପାୟଲର ମନଦୁଃଖ ହେବାରୁ ସୋମୁନା ତାକୁ ବୁଝାଇ ଉତ୍ସାହିତ କଲା ।
ସୋମୁନା, ପାୟଲ ଏବଂ ପରିବାରର ସମସ୍ତେ ମିଳିମିଶି ଗଛଟିର ଭଲ ଭାବରେ ଯତ୍ନ ନେବାକୁ ପ୍ରତିଜ୍ଞା କଲେ ।
ଆମ୍ବ ପରି ଫଳର ଟାକୁଆ ବା ମଞ୍ଜିକୁ ମାଟିରେ ପୋତିଲେ ସେଥିରୁ ନୂଆ ଚାରାଗଛ ଜନ୍ମ ନିଏ ।
ଗଛ ଲଗାଇବା ପାଇଁ ଉପଯୁକ୍ତ ସ୍ଥାନ ବାଛି ମାଟି ଖୋଳିବା, ଖତ ଦେବା ଏବଂ ପାଣି ଦେବା ଆବଶ୍ୟକ ।
ଗଛର ନିୟମିତ ଯତ୍ନ ନେଲେ ତାହା ଭବିଷ୍ୟତରେ ବଡ଼ ହୋଇ ଆମକୁ ମିଠା ଓ ସୁସ୍ୱାଦୁ ଫଳ ଦେଇଥାଏ ।