ଖରାଦିନେ ସୋମୁନାର ଅଜା ତାଙ୍କ ଘରକୁ ଆସିଥିଲେ । ସେ ନିଜ ସାଙ୍ଗରେ ବହୁତ ମିଠା ପାଚିଲା ଆମ୍ବ ଧରି ଆସିଥିଲେ । ସୋମୁନା ସେହି ଆମ୍ବ ଖାଇ ବହୁତ ଖୁସି ହେଲା ଏବଂ ନିଜ ଘର ବଗିଚାରେ ସେହି ଆମ୍ବର ଟାକୁଆକୁ ପୋତି ଗଛଟିଏ ଲଗାଇବା ପାଇଁ ସ୍ଥିର କଲା । ସୋମୁନା ବଗିଚାକୁ ଯାଇ ମାଟି ଖୋଳିଲା ଏବଂ ଗାତ କରି ସେଥିରେ ଟାକୁଆକୁ ପୋତି ପାଣି ଦେଲା । ସେ ପ୍ରତିଦିନ ସକାଳୁ ଉଠି ସେହି ସ୍ଥାନକୁ ଭଲ ଭାବରେ ସଫା କରୁଥିଲା ଓ ନିୟମିତ ଭାବରେ ପାଣି ଢାଳୁଥିଲା । କିଛିଦିନ ବିତିଗଲା ପରେ ମଧ୍ୟ ମାଟିରୁ କୌଣସି ଗଛ ନ ଉଠିବାରୁ ସୋମୁନାର ମନ ଭାରି ଦୁଃଖ ହେଲା ଏବଂ ସେ ଆଉ ସେଠାରେ ପାଣି ଦେଲା ନାହିଁ ।
ଦିନକର କଥା, ସୋମୁନା ବଗିଚାରେ ବୁଲୁଥିବା ସମୟରେ ହଠାତ୍ ଦେଖିଲା ଯେ ଟାକୁଆରୁ ଦୁଇଟି ଛୋଟ ପତର ମେଲି ଏକ ଚାରାଗଛ ବାହାରିଛି । ଏହା ଦେଖି ସେ ଆନନ୍ଦରେ ପାଟି କରିଉଠିଲା । ତା’ର ଡାକ ଶୁଣି ପାୟଲ ଧାଇଁ ଆସିଲା ଏବଂ ଛୋଟ ଚାରାଟିକୁ ଦେଖି ଖୁସିରେ ଦୁହେଁ ହାତ ଧରାଧରି ହୋଇ ନାଚିବାକୁ ଲାଗିଲେ ।
ସେତିକିବେଳେ ବାପା ଆସି ସେଠାରେ ପହଞ୍ଚିଲେ । ସୋମୁନା ଖୁସିରେ ପଚାରିଲା ଯେ ଆରବର୍ଷକୁ କ’ଣ ଏହି ଛୋଟ ଗଛ ବଡ଼ ହୋଇ ସେଥିରେ ମିଠା ମିଠା ଆମ୍ବ ଫଳିବ ? ବାପା ହସିଦେଇ ବୁଝାଇଲେ ଯେ ଗଛଟି ବଡ଼ ହୋଇ ସେଥିରେ ଆମ୍ବ ଫଳିବା ପାଇଁ ଆହୁରି ଚାରି-ପାଞ୍ଚ ବର୍ଷ ସମୟ ଲାଗିବ । ଏକଥା ଶୁଣି ପାୟଲର ମୁହଁ ଶୁଖିଗଲା । ସୋମୁନା ତାକୁ ବୁଝାଇ କହିଲା ଯେ ଆମେ ସମସ୍ତେ ମିଳିମିଶି ଏହି ଗଛର ଯତ୍ନ ନେବା । ଦିନେ ନା ଦିନେ ଏହି ଗଛ ନିଶ୍ଚୟ ବଡ଼ ହେବ ଏବଂ ଆମକୁ ମିଠା ପାଚିଲା ଆମ୍ବ ଖାଇବାକୁ ମିଳିବ । ଶେଷରେ ସମସ୍ତେ ଏକାଠି ହୋଇ ସେହି ଗଛର ଯତ୍ନ ନେବା ପାଇଁ ପ୍ରତିଜ୍ଞା କଲେ ।
ଏହି ବିଷୟରୁ ପିଲାମାନେ ଶିଖିବାକୁ ପାଆନ୍ତି ଯେ ଗଛ ଲଗାଇବା ସହିତ ଧୈର୍ଯ୍ୟ ରଖି ତା’ର ନିୟମିତ ଯତ୍ନ ନେବା ଉଚିତ । ଭଲ ଭାବରେ ଯତ୍ନ ନେଲେ ହିଁ ସମୟ କ୍ରମେ ଆମକୁ ଉତ୍ତମ ଫଳ ମିଳିଥାଏ ।