‘ବାଇଚଢ଼େଇ ଓ ହାତୀ’ ଗଳ୍ପଟି ପ୍ରସିଦ୍ଧ ‘ପଞ୍ଚତନ୍ତ୍ର’ କାହାଣୀରୁ ସଂଗୃହୀତ ହୋଇଛି।
ବଣ ଭିତରେ ଥିବା ଏକ ତମାଳ ଗଛରେ ବାଇଚଢ଼େଇ ଦୁଇଟି ବସା ବାନ୍ଧି ରହୁଥିଲେ।
ଦିନେ ଖରାବେଳେ ଗୋଟିଏ ବଣୁଆ ହାତୀ ତମାଳ ଗଛର ଡାଳ ଭାଙ୍ଗି ବାଇଚଢ଼େଇର ଅଣ୍ଡାଗୁଡ଼ିକୁ ନଷ୍ଟ କରିଦେଲା।
ନିଜର ଅଣ୍ଡାଗୁଡ଼ିକ ଭାଙ୍ଗି ନଷ୍ଟ ହୋଇଯିବାରୁ ସ୍ତ୍ରୀ ବାଇଚଢ଼େଇଟି ମନଦୁଃଖରେ କାନ୍ଦିବାକୁ ଲାଗିଲା।
ନଷ୍ଟ ହୋଇଥିବା ବସ୍ତୁ ଓ ମରିଯାଇଥିବା ପ୍ରାଣୀ ବିଷୟରେ ଜ୍ଞାନୀ ଲୋକମାନେ କେବେହେଲେ ଦୁଃଖ କରନ୍ତି ନାହିଁ।
ବିପଦ ବେଳେ ଯିଏ ସାହାଯ୍ୟ କରେ ସିଏ ହିଁ ପ୍ରକୃତ ସାଙ୍ଗ ବୋଲି କାଠହଣା ଚଢ଼େଇ କହିଥିଲା।
କାଠହଣା ଚଢ଼େଇ ବାଇଚଢ଼େଇକୁ ସାହାଯ୍ୟ କରିବା ପାଇଁ ବୀଣାରବା ନାମକ ମହୁମାଛିକୁ ଡାକି ଆଣିଲା।
ମହୁମାଛିର ସାଙ୍ଗ ମେଘନାଦ ନାମକ ବେଙ୍ଗ ହାତୀକୁ ଦଣ୍ଡ ଦେବା ପାଇଁ ସମସ୍ତଙ୍କୁ ବୁଦ୍ଧି ଶିଖାଇଲା।
ଖରାବେଳେ ହାତୀ ବିଶ୍ରାମ କରୁଥିବା ସମୟରେ ମହୁମାଛି ଯାଇ ତା’ କାନ ପାଖରେ ଗୁଣୁଗୁଣୁ ସ୍ୱରରେ ଗୀତ ଗାଇଲା।
ମହୁମାଛିର ଗୀତ ଶୁଣି ହାତୀ ଆନନ୍ଦରେ ବିଭୋର ହୋଇ ଆଖି ବନ୍ଦ କରି ଝୁଲିବାକୁ ଲାଗିଲା।
କାଠହଣା ଚଢ଼େଇ ନିଜ ଥଣ୍ଟରେ ବାରମ୍ବାର ଖୁମ୍ପି ହାତୀର ଦୁଇଟିଯାକ ଆଖିକୁ ଅନ୍ଧ କରିଦେଲା।
ପ୍ରବଳ ଖରା ହେତୁ ଅନ୍ଧ ହାତୀଟି ଶୋଷରେ ପାଣି ଖୋଜିବା ପାଇଁ ଏଣେତେଣେ ବୁଲିଲା।
ମେଘନାଦ ବେଙ୍ଗ ଗୋଟିଏ ବଡ଼ ଗାତ ଭିତରେ ରହି ଜୋରରେ ଶବ୍ଦ କରିବାକୁ ଲାଗିଲା।
ବେଙ୍ଗର ଶବ୍ଦ ଶୁଣି ସେଠାରେ ପୋଖରୀ ଅଛି ଭାବି ହାତୀଟି ଗାତ ଭିତରେ ପଡ଼ି ମରିଗଲା।
ଦୁର୍ବଳ ପ୍ରାଣୀ ଉପରେ ଅତ୍ୟାଚାର କଲେ ଶେଷରେ ଉପଯୁକ୍ତ ଦଣ୍ଡ ଭୋଗିବାକୁ ପଡ଼େ।