‘ବନ୍ଧୁଙ୍କୁ ପତ୍ର’ ପାଠରେ ଜିତେନ୍ଦ୍ର ନାମକ ଜଣେ ବାଳକ ତାର ପ୍ରିୟ ବନ୍ଧୁ ସିଦ୍ଧାର୍ଥ ନିକଟକୁ ଏକ ସୁନ୍ଦର ଚିଠି ଲେଖିଛି । ଏହି ପତ୍ରରେ ସେ ଖରାଛୁଟିରେ ମାମୁଘର ପୁରୀ ଯାଇ କିପରି ସମୟ କଟାଇଲା, ସେହି ଅନୁଭୂତି କଥା ବର୍ଣ୍ଣନା କରିଛି । ଜେଜେମା’ଙ୍କ ଦେହ ଅସୁସ୍ଥ ଥିବାରୁ ବାପା ଘରେ ରହି ତାଙ୍କର ସେବାଯତ୍ନ କରିଥିଲେ । ତେଣୁ ଜିତେନ୍ଦ୍ର ତା’ର ବୋଉ ସହିତ ‘ବନ୍ଦେ ଭାରତ ଏକ୍ସପ୍ରେସ୍’ ଟ୍ରେନରେ ବସି ପୁରୀ ଯାଇଥିଲା । ସେଠାରେ ସେ ତାର ମାମୁ, ମାଈଁ ଓ ବୋଉଙ୍କ ସହିତ ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲି ଦେଖିଥିଲା ।
ପୁରୀର ପ୍ରସିଦ୍ଧ ଶ୍ରୀଜଗନ୍ନାଥ ମନ୍ଦିର ଏବଂ ସୁନ୍ଦର ସମୁଦ୍ରକୂଳ ବୁଲିବା ପରେ ସେମାନେ କୋଣାର୍କ ଯାଇଥିଲେ । କୋଣାର୍କର ସୂର୍ଯ୍ୟ ମନ୍ଦିର ଚନ୍ଦ୍ରଭାଗା ନଦୀର ମୁହାଣରେ ଅବସ୍ଥିତ । ରାଜା ନରସିଂହଦେବ ବାରଶହ ବଢ଼େଇଙ୍କୁ ଲଗାଇ ଏହି ମନ୍ଦିର ନିର୍ମାଣ କରାଇଥିଲେ ଏବଂ ବାର ବର୍ଷର ବାଳକ ଧର୍ମପଦ ଏହାର ମୁଣ୍ଡି ମାରିଥିଲା । ଗୋଟିଏ ବିରାଟ ରଥ ପରି ଦିଶୁଥିବା ଏହି ମନ୍ଦିରରେ ସାତୋଟି ଘୋଡ଼ା ଓ ଚବିଶଟି ଚକ ରହିଛି । କୋଣାର୍କ ମନ୍ଦିର ନିକଟରେ ଥିବା ବେଳାଭୂମିରେ ସେମାନେ ଚାଲି ଚାଲି ବହୁତ ମଜା କରିଥିଲେ ।
ଶରୀରକୁ ନିରୋଗ ଓ ସୁସ୍ଥ ରଖିବା ପାଇଁ ଶାରୀରିକ ପରିଶ୍ରମ ଓ ବ୍ୟାୟାମର ମହତ୍ତ୍ଵ ବିଷୟରେ ମାମୁ ତାକୁ ବୁଝାଇଥିଲେ । ଚାଲିବା, ଦୌଡ଼ିବା, ଖେଳିବା, ସାଇକେଲ ଚଲାଇବା ଓ ପହଁରିବା ଦ୍ଵାରା ଶରୀର ଭଲ ରହେ । ଜିତେନ୍ଦ୍ର ତାର ବାପାଙ୍କଠାରୁ ପହଁରିବା ଶିଖିଛି ଏବଂ ପ୍ରତିଦିନ ସକାଳୁ ପିଉସୀଙ୍କ ସହିତ ଯୋଗ ଓ ବ୍ୟାୟାମ କରୁଛି । ଏହାଛଡ଼ା ସେ ତାର ସାଙ୍ଗସାଥୀଙ୍କ ସହ ମିଶି କ୍ରିକେଟ୍, କବାଡ଼ି ଓ ଖୋ-ଖୋ ପରି ଖେଳ ଖେଳୁଛି । ଏହାଦ୍ଵାରା ତା’ର ଶରୀର ଓ ମନ ସୁସ୍ଥ ରହୁଛି ଏବଂ କାମ କରିବା ପାଇଁ ଆଗ୍ରହ ବଢ଼ୁଛି । ଶେଷରେ ସେ ତାର ବନ୍ଧୁ ସିଦ୍ଧାର୍ଥକୁ ମଧ୍ୟ ପ୍ରତିଦିନ ବ୍ୟାୟାମ କରିବାକୁ ପରାମର୍ଶ ଦେଇଛି ଏବଂ ତା’ର ପରିବାର ସହିତ ନିଜ ଗାଁକୁ ବୁଲି ଆସିବା ପାଇଁ ନିମନ୍ତ୍ରଣ କରିଛି ।