ବୈଶାଖ ମାସ ପଣା ସଂକ୍ରାନ୍ତି ଦିନଠାରୁ ଆମ ଓଡ଼ିଶାର ନୂଆ ବର୍ଷ ଆରମ୍ଭ ହୁଏ।
ପଣା ସଂକ୍ରାନ୍ତିକୁ ଆମ ରାଜ୍ୟରେ ମହାବିଷୁବ ସଂକ୍ରାନ୍ତି ବୋଲି ମଧ୍ୟ କୁହାଯାଏ।
ଏହି ଦିନ ତୁଳସୀ ଚଉରା ଉପରେ ଜାମୁ ଡାଳ ଦେଇ ମାଟିର ଠେକି ବନ୍ଧାଯାଏ ଏବଂ ମାସେ ଯାଏ ପାଣି ଦିଆଯାଏ।
ପଣା ସଂକ୍ରାନ୍ତିରେ ଚାଉଳ, ଗହମ, ବାଦାମ, ବୁଟ ଓ ଯଅରେ ତିଆରି ଛତୁଆ ଠାକୁରଙ୍କ ପାଖରେ ଭୋଗ ଲାଗେ।
ଏହି ପବିତ୍ର ଦିନରେ ଘରେ ଘରେ ଓ ମନ୍ଦିରଗୁଡ଼ିକରେ ସୁଆଦିଆ ବେଲପଣା ପ୍ରସ୍ତୁତ କରାଯାଏ।
ବୈଶାଖ ମାସରେ ଶିବ ଓ ପାର୍ବତୀଙ୍କ ପ୍ରତୀକ ଭାବରେ ଦଣ୍ଡପୂଜା କରାଯାଏ।
ଶିବ ଓ ପାର୍ବତୀଙ୍କ ଉଦ୍ଦେଶ୍ୟରେ ବ୍ରତ ମନାସିଥିବା ଭକ୍ତମାନଙ୍କୁ ପାଟୁଆ ବୋଲି କୁହାଯାଏ।
ପାଟୁଆମାନେ ଖାଲି ପାଦରେ ଖରାରେ ଚାଲନ୍ତି ଏବଂ ମୁଣ୍ଡରେ ଠାକୁରାଣୀ ଘଟ ରଖି ନାଚନ୍ତି।
ଯେଉଁ ପାଟୁଆମାନେ କଣ୍ଟା ଉପରେ ଗଡ଼ନ୍ତି ଓ ନାଚନ୍ତି ସେମାନଙ୍କୁ ଘଣ୍ଟପାଟୁଆ କୁହାଯାଏ।
ମୟୂରଭଞ୍ଜ ଜିଲ୍ଲାର ବାରିପଦାଠାରେ ଖମ୍ବ ଅଗରେ ଥିବା ଦଣ୍ଡରୁ ଝୁଲି ଉଡ଼ା ପାଟୁଆ ନୃତ୍ୟ କରନ୍ତି।
ବାରିପଦାର ପୃଥିବୀ ପ୍ରସିଦ୍ଧ ଛଉନୃତ୍ୟ ଦେଖିବା ପାଇଁ ଦେଶ ବିଦେଶରୁ ଅନେକ ଲୋକ ଆସିଥାନ୍ତି।
ପଣା ସଂକ୍ରାନ୍ତି ଦିନ ଓଡ଼ିଶାର ଭଟ୍ଟାରିକା, ଚର୍ଚ୍ଚିକା, ଶାରଳା ଓ ମଙ୍ଗଳା ଆଦି ଦେବୀପୀଠରେ ଝାମୁଯାତ୍ରା ହୁଏ।
ଝାମୁଯାତ୍ରାରେ ମାନସିକଧାରୀ ଭକ୍ତମାନେ ଜଳୁଥିବା ରଡ଼ ନିଆଁ ଉପରେ ଚାଲିଥାଆନ୍ତି।
ପଣା ସଂକ୍ରାନ୍ତି ଦିନ ପୁରୀ ଜଗନ୍ନାଥ ମନ୍ଦିରରେ ନୂତନ ବର୍ଷର ନୂଆ ପାଞ୍ଜି ପ୍ରଚଳନ କରାଯାଏ।
ଓଡ଼ିଆ ଲୋକମାନେ ଏହି ପାଞ୍ଜି ଦେଖି ବିବାହ, ବ୍ରତ ଓ ଗୃହ ପ୍ରତିଷ୍ଠା ପରି ଶୁଭକାର୍ଯ୍ୟ କରିଥାଆନ୍ତି।