ବର୍ଷକରେ ବାରଟି ମାସ ଓ ଛଅଟି ଋତୁ ଥାଏ । ବୈଶାଖ ମାସର ପଣା ସଂକ୍ରାନ୍ତି ଦିନକୁ ଆମ ଓଡ଼ିଶାରେ ନୂଆ ବର୍ଷ ବା ନବବର୍ଷ ଭାବରେ ପାଳନ କରାଯାଏ । ଏହି ପବିତ୍ର ଦିନକୁ ମହାବିଷୁବ ସଂକ୍ରାନ୍ତି ମଧ୍ୟ କୁହାଯାଏ । ଏହି ଦିନ ଓଡ଼ିଆ ଲୋକମାନେ ତୁଳସୀ ଚଉରା ଉପରେ ଜାମୁ ଡାଳ ଦେଇ ଏକ ଛୋଟ ମାଟି ଠେକି ବାନ୍ଧିଥାନ୍ତି । ସେହି ଠେକିରେ ପାଣି ରଖାଯାଏ, ଯାହାକି ପୂରା ଗୋଟିଏ ମାସ ଧରି ଟୋପା ଟୋପା ହୋଇ ତୁଳସୀ ଗଛ ଉପରେ ଝରେ । ଘରେ ଘରେ ଚାଉଳ, ଗହମ, ବାଦାମ, ବୁଟ ଓ ଯଅରେ ସୁଆଦିଆ ଛତୁଆ ତିଆରି କରାଯାଏ । ସେହି ଛତୁଆରେ ଗୁଡ଼, ନଡ଼ିଆ ଓ କଦଳୀ ମିଶାଇ ଠାକୁରଙ୍କ ପାଖରେ ଭୋଗ ଲଗାଯାଏ । ଏହା ସହିତ ଘରେ ଓ ମନ୍ଦିରମାନଙ୍କରେ ସୁଆଦିଆ ବେଲପଣା ତିଆରି ହୁଏ ଏବଂ ସମସ୍ତେ ଏହାକୁ ଖୁସିରେ ପିଅନ୍ତି ।
ବୈଶାଖ ମାସରେ ଓଡ଼ିଶାରେ ଶିବ ଓ ପାର୍ବତୀଙ୍କ ପ୍ରତୀକ ଭାବେ ଦଣ୍ଡପୂଜା କରାଯାଏ । ପଣା ସଂକ୍ରାନ୍ତିଠାରୁ ନୟାଗଡ଼, ଗଞ୍ଜାମ, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ ଓ ବଲାଙ୍ଗୀର ପରି ଜିଲ୍ଲାରେ ଦଣ୍ଡନାଟ ଆରମ୍ଭ ହୁଏ । ଶିବ ଓ ପାର୍ବତୀଙ୍କ ପାଇଁ ବ୍ରତ ପାଳନ କରୁଥିବା ଭକ୍ତମାନଙ୍କୁ ପାଟୁଆ କୁହାଯାଏ । ପାଟୁଆମାନେ ଖାଲି ପାଦରେ ଖରାରେ ଚାଲନ୍ତି ଏବଂ ମୁଣ୍ଡ ଉପରେ ଠାକୁରାଣୀଙ୍କ ଘଟ ରଖି ହାତ ଛାଡ଼ି ନାଚ କରନ୍ତି । କଣ୍ଟା ଉପରେ ଗଡ଼ି ନାଚୁଥିବା ଭକ୍ତଙ୍କୁ ଘଣ୍ଟପାଟୁଆ କୁହାଯାଏ । ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ଖମ୍ବରେ ଝୁଲି ଉଡ଼ିଲା ପରି ବୁଲୁଥିବା ଉଡ଼ା ପାଟୁଆ ଦେଖିବାକୁ ମିଳନ୍ତି । ଏଠାରେ ହେଉଥିବା ପ୍ରସିଦ୍ଧ ଛଉନୃତ୍ୟ ଦେଖିବା ପାଇଁ ଦେଶ ବିଦେଶରୁ ଅନେକ ଲୋକ ଆସିଥାନ୍ତି ।
ପଣା ସଂକ୍ରାନ୍ତି ଦିନ ଓଡ଼ିଶାର ଭଟ୍ଟାରିକା, ଚର୍ଚ୍ଚିକା, ମାଳବିହାରପୁର, ଶାରଳା ଓ ମଙ୍ଗଳା ଆଦି ବିଭିନ୍ନ ପ୍ରସିଦ୍ଧ ଦେବୀପୀଠରେ ଝାମୁଯାତ୍ରା ଅନୁଷ୍ଠିତ ହୁଏ । ଏହି ଯାତ୍ରାରେ ଭକ୍ତମାନେ ଜଳୁଥିବା ରଡ଼ ନିଆଁ ଉପରେ ଚାଲିଥାନ୍ତି । ସେହିଦିନ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ନୂଆ ପାଞ୍ଜିର ପ୍ରଚଳନ କରାଯାଏ । ଏହି ପାଞ୍ଜି ଅନୁସାରେ ବଡ଼ଠାକୁରଙ୍କ ଦୈନନ୍ଦିନ ନୀତିକାନ୍ତି ଏବଂ ଲୋକମାନଙ୍କର ବିବାହ, ବ୍ରତ, ଗୃହ ପ୍ରତିଷ୍ଠା ଓ ପୂଜାପର୍ବ ପରି ସମସ୍ତ ଶୁଭ କାର୍ଯ୍ୟ ସମ୍ପନ୍ନ ହୁଏ । ସମସ୍ତେ ପରସ୍ପରକୁ ନବବର୍ଷର ଶୁଭେଚ୍ଛା ଜଣାଇ ଏହି ପର୍ବକୁ ଆନନ୍ଦ ଉଲ୍ଲାସର ସହିତ ପାଳନ କରନ୍ତି ।