ଆମେ ପ୍ରତିଦିନ ଘରେ ଓ ବିଦ୍ୟାଳୟରେ ନାନା କାମ କରିଥାଉ। ଏହି ସବୁ କାମରୁ ପନିପରିବା ଚୋପା, କାଗଜ ଟୁକୁଡ଼ା, ପୁରୁଣା ପୋଷାକ, ପ୍ଲାଷ୍ଟିକ୍ ବୋତଲ ଭଳି ଅନେକ ଅଦରକାରୀ ଜିନିଷ ବାହାରି ଅଳିଆ ସୃଷ୍ଟି ହୁଏ। ଏହି ଆବର୍ଜନାକୁ ଯଦି ଆମେ ଏଣେତେଣେ ଫିଙ୍ଗିବା, ତେବେ ପରିବେଶ ମଇଳା ହୁଏ। ନାଳନର୍ଦ୍ଦମାରେ ଅପରିଷ୍କାର ପାଣି ଜମି ରହିଲେ ମଶା ବଢ଼ନ୍ତି ଏବଂ ଡାଇରିଆ, ମ୍ୟାଲେରିଆ ଭଳି ରୋଗ ହୁଏ। ପ୍ଲାଷ୍ଟିକ୍ ଖାଇ ଗାଈଗୋରୁ ମଧ୍ୟ ଅସୁସ୍ଥ ହୁଅନ୍ତି। ତେଣୁ ପରିବେଶକୁ ସୁସ୍ଥ ଓ ନିର୍ମଳ ରଖିବା ପାଇଁ ଆବର୍ଜନାର ସଠିକ୍ ପରିଚାଳନା କରିବା ନିହାତି ଜରୁରୀ।
ଆବର୍ଜନା କମାଇବା ପାଇଁ ଆମେ ମୁଖ୍ୟତଃ ତିନୋଟି କଥା ଉପରେ ଧ୍ୟାନ ଦେବା ଉଚିତ— ଆବର୍ଜନା କମ୍ କରିବା, ପୁନଃବ୍ୟବହାର କରିବା ଏବଂ ପୁନଃଚକ୍ରଣ କରିବା। ବଜାରକୁ ଗଲାବେଳେ ପ୍ଲାଷ୍ଟିକ୍ ମୁଣା ବଦଳରେ କପଡ଼ା ବ୍ୟାଗ୍ ବ୍ୟବହାର କରିବା ଉଚିତ। ପୁରୁଣା କାଗଜରେ ଠୁଙ୍ଗା ବା ଖେଳଣା ତିଆରି କରିପାରିବା ଏବଂ ପୁରୁଣା ପୋଷାକରୁ ବ୍ୟାଗ୍ କିମ୍ବା କନ୍ଥା ତିଆରି କରି ପୁଣି କାମରେ ଲଗାଇପାରିବା। ଏହାଦ୍ୱାରା ନୂଆ ଆବର୍ଜନା ସୃଷ୍ଟି ହେବ ନାହିଁ।
ଅଳିଆକୁ ସବୁବେଳେ ଦୁଇ ଭାଗରେ ଅଲଗା ରଖିବା ଦରକାର। ଏଥିପାଇଁ ଦୁଇଟି ରଙ୍ଗର ଡଷ୍ଟବିନ୍ ବ୍ୟବହାର କରାଯାଏ। ସବୁଜ ରଙ୍ଗର ଡଷ୍ଟବିନରେ ପନିପରିବା ଚୋପା, ଶୁଖିଲା ପତ୍ର ଓ ଫଳ ଚୋପା ଭଳି ପଚିଯାଉଥିବା ଜିନିଷ ପକାଯାଏ, ଯାହା ମାଟିରେ ମିଶି ଖତ ହୁଏ। ନୀଳ ରଙ୍ଗର ଡଷ୍ଟବିନରେ କାଚ, ପ୍ଲାଷ୍ଟିକ୍, ଟିଣ ଓ କାଗଜ ଭଳି ନ ପଚୁଥିବା ଜିନିଷ ରଖାଯାଏ, ଯାହାକୁ କାରଖାନାରେ ପୁନଃଚକ୍ରଣ କରି ନୂଆ ଜିନିଷ ତିଆରି କରାଯାଇପାରେ। ଭଙ୍ଗା କାଚ ବା ଛୁଞ୍ଚି ଭଳି ଧାରୁଆ ଜିନିଷକୁ ସବୁବେଳେ କାଗଜରେ ଗୁଡ଼ାଇ ଫିଙ୍ଗିବା ଉଚିତ।
ଅରୁଣାଚଳ ପ୍ରଦେଶର ସିଲୁକ୍ ଗାଁ ଏବଂ ରାଜସ୍ଥାନର ଛୋଟା ନରେନା ଗାଁ ଆବର୍ଜନା ପରିଚାଳନା କରି ଆଦର୍ଶ ସ୍ୱଚ୍ଛ ଗ୍ରାମ ହୋଇପାରିଛନ୍ତି। ଆମ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ବୋବେଇକପୋଡ଼ା ଗାଁ ମଧ୍ୟ ଏକ ପରିଷ୍କାର ଗାଁ ଭାବେ ନାମ କରିଛି। ଜାନୁଆରୀ ୩୦ ତାରିଖରେ ଜାତୀୟ ସ୍ୱଚ୍ଛତା ଦିବସ ପାଳନ କରାଯାଏ। ଆମେ ସମସ୍ତେ ମିଳିମିଶି ନିଜ ଘର, ବିଦ୍ୟାଳୟ ଓ ଗାଁକୁ ସଫାସୁତୁରା ରଖିବା ପାଇଁ ଶପଥ ନେବା ଉଚିତ।