ଆମ ଚାରିପାଖରେ ଅନେକ ପ୍ରକାରର ଉଦ୍ଭିଦ ଦେଖିବାକୁ ମିଳେ। ସେଗୁଡ଼ିକର ଆକାର, ପ୍ରକାର ଏବଂ ରୂପ ଭିନ୍ନ ଭିନ୍ନ ହୋଇଥାଏ। ଆକାର ଓ ଗଠନ ଅନୁସାରେ ଉଦ୍ଭିଦଗୁଡ଼ିକୁ ଗଛ, ବୁଦା, ଗୁଳ୍ମ, ଘାସ, ଆଶ୍ରିତ ଲତା ଓ ବିନା ଆଶ୍ରିତ ଲତା ଭାବରେ ଭାଗ କରାଯାଇଛି।
ଯେଉଁ ଉଦ୍ଭିଦଗୁଡ଼ିକ ବହୁତ ବଡ଼ ଓ ଡେଙ୍ଗା ହୁଅନ୍ତି, ସେଗୁଡ଼ିକୁ ଗଛ କୁହାଯାଏ। ଏଗୁଡ଼ିକର ଏକ ମୋଟା ଓ ଟାଣ କାଠଗଣ୍ଡି ଥାଏ ଏବଂ ମୂଳ ମାଟିର ବହୁତ ଗଭୀରକୁ ଯାଇଥାଏ। ଆମ୍ବ, ବର, ନଡ଼ିଆ ଓ ପଣସ ହେଉଛି ବଡ଼ ଗଛର ଉଦାହରଣ। ଗଛଠାରୁ ଛୋଟ ଏବଂ ଭୂମି ପାଖରୁ ଅନେକ ଶାଖାପ୍ରଶାଖା ମେଲି ଝଙ୍କାଳିଆ ହୋଇ ବଢ଼ୁଥିବା ମଧ୍ୟମ ଧରଣର ଉଦ୍ଭିଦକୁ ବୁଦା କୁହାଯାଏ। ଗୋଲାପ, ମନ୍ଦାର ଓ ତୁଳସୀ ହେଉଛି ବୁଦା ଜାତୀୟ ଉଦ୍ଭିଦ। ଆମେ ଖାଉଥିବା ହରଡ଼, ମୁଗ, ବିରି ଓ ମସୁର ଭଳି ଡାଲି ଜାତୀୟ ଶସ୍ୟ ମଧ୍ୟ ବୁଦା ଜାତୀୟ ଉଦ୍ଭିଦରୁ ମିଳିଥାଏ।
କୋମଳ ଓ ନରମ ସବୁଜ କାଣ୍ଡ ଥିବା ଛୋଟ ଛୋଟ ଉଦ୍ଭିଦକୁ ଗୁଳ୍ମ କୁହାଯାଏ। ପୁଦିନା, ଧନିଆ ଓ ଟମାଟୋ ହେଉଛି ଗୁଳ୍ମ। ଘାସ ମଧ୍ୟ ଏକ ପ୍ରକାର ଗୁଳ୍ମ ଅଟେ। ଘାସର ପତ୍ର ପତଳା, ଚେପଟା ଏବଂ ଏହାର କାଣ୍ଡ ଫମ୍ପା ହୋଇଥାଏ। ଆମେ ଖାଉଥିବା ଧାନ, ଗହମ ଓ ବାଜରା ହେଉଛି ବଡ଼ ଘାସର ମଞ୍ଜି। ଆଖୁ ଓ ବାଉଁଶ ମଧ୍ୟ ଲମ୍ବା ଘାସ ଅଟନ୍ତି। ବାଉଁଶ ହେଉଛି ସବୁଠାରୁ ଲମ୍ବା ଘାସ।
ଯେଉଁ ଉଦ୍ଭିଦଗୁଡ଼ିକର କାଣ୍ଡ ବହୁତ ଦୁର୍ବଳ ଏବଂ ନିଜେ ସିଧା ହୋଇ ଠିଆ ହୋଇପାରନ୍ତି ନାହିଁ, ସେଗୁଡ଼ିକୁ ଲତା କୁହାଯାଏ। ଅନ୍ୟ ଗଛ ବା ବାଉଁଶର ସାହାଯ୍ୟ ନେଇ ଉପରକୁ ଚଢ଼ୁଥିବା ଉଦ୍ଭିଦକୁ ଆଶ୍ରିତ ଲତା କୁହାଯାଏ, ଯେପରିକି ମନି ପ୍ଲାଣ୍ଟ, କଲରା ଓ ଲାଉ। ଅନ୍ୟପକ୍ଷରେ କୌଣସି ଆଶ୍ରୟ ନପାଇ ମାଟି ଉପରେ ମାଡ଼ି ବଢ଼ୁଥିବା ଉଦ୍ଭିଦକୁ ବିନା ଆଶ୍ରିତ ଲତା କୁହାଯାଏ, ଯେପରିକି କଖାରୁ ଓ ତରଭୂଜ।
ଉଦ୍ଭିଦର ପ୍ରଧାନ ଅଂଶଗୁଡ଼ିକ ହେଲା ମୂଳ, କାଣ୍ଡ, ପତ୍ର, ଫୁଲ, ଫଳ ଓ ମଞ୍ଜି। ଗଛର ବାହାର ପାଖରେ ଏକ ଟାଣ ଆବରଣ ଥାଏ, ଯାହାକୁ ଛାଲି କୁହାଯାଏ। ବିଭିନ୍ନ ଗଛର ପତ୍ରର ରଙ୍ଗ, ଆକାର ଓ ବାସ୍ନା ପରସ୍ପରଠାରୁ ଅଲଗା ହୋଇଥାଏ।