ଆମେ ଖାଉଥିବା ବିଭିନ୍ନ ଖାଦ୍ୟରେ ମିଠା, ଖଟା, ରାଗ, କଷା, ଲୁଣିଆ ଓ ପିତା ଭଳି ଛଅ ପ୍ରକାର ସ୍ବାଦ ଥାଏ।
ଛପନ ଭୋଗରେ ଛଅଟି ସ୍ବାଦର ସମନ୍ବୟ ଥିବା ୫୬ ପ୍ରକାର ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରାଯାଇଥାଏ।
ଶରୀରକୁ ସୁସ୍ଥ ଓ ବଳିଷ୍ଠ ରଖିବା ପାଇଁ ପ୍ରତିଦିନ ସନ୍ତୁଳିତ ଖାଦ୍ୟ ଖାଇବା ନିତାନ୍ତ ଆବଶ୍ୟକ।
ଭାତ, ରୁଟି, ଡାଲି, ଶାଗ, ପନିପରିବା ଏବଂ କ୍ଷୀର ଖାଇବା ଦ୍ୱାରା ଶରୀର ଶକ୍ତିଶାଳୀ ହୁଏ।
ଋତୁ ଅନୁସାରେ ଆମେ ଭିନ୍ନ ଭିନ୍ନ ପ୍ରକାରର ଫଳ, ପନିପରିବା ଓ ଖାଦ୍ୟ ଗ୍ରହଣ କରିଥାଉ।
ଖରାଦିନେ ଆମ୍ବ ଓ ତରଭୂଜ ଏବଂ ଶୀତଦିନେ ପ୍ରଚୁର ପରିମାଣରେ କମଳା ଓ ସେଓ ମିଳିଥାଏ।
ଖରାଦିନେ ଏବଂ ପରିଶ୍ରମ କଲେ ଶରୀରରୁ ଝାଳ ବାହାରି ଜଳର ପରିମାଣ କମିଯାଏ।
ଶରୀରରେ ଜଳର ଅଭାବ ପୂରଣ କରିବା ପାଇଁ ଆମେ ବାରମ୍ବାର ପାଣି ଓ ତରଳ ପାନୀୟ ପିଇବା ଉଚିତ।
ବିନା ଜଳରେ ଆମେ ବଞ୍ଚିପାରିବା ନାହିଁ, ତେଣୁ ଜଳକୁ ହିଁ ଜୀବନ ବୋଲି କୁହାଯାଏ।
ଆମେ ଖାଉଥିବା ଖାଦ୍ୟ ମୁଖ୍ୟତଃ ଉଦ୍ଭିଦ ଓ ପ୍ରାଣୀମାନଙ୍କଠାରୁ ମିଳିଥାଏ।
ପାଳଙ୍ଗ, ମେଥି, ବନ୍ଧାକୋବି ଏବଂ ଧନିଆ ଗଛର ପତ୍ରକୁ ଆମେ ଖାଦ୍ୟ ରୂପେ ବ୍ୟବହାର କରୁ।
ଗାଜର, ମୂଳା ଓ ବିଟ୍ ଭଳି ପରିବା ଗଛର ମୂଳ ଅଟେ।
ଆଳୁ, ବାଉଁଶ କରଡ଼ି, ଅଦା ଓ ପିଆଜ ଗଛର କାଣ୍ଡ ଅଂଶ ଅଟେ।
କ୍ଷୀର, ଦହି, ଘିଅ, ଲହୁଣୀ, ପନିର, ମହୁ, ଅଣ୍ଡା, ମାଛ ଓ ମାଂସ ପ୍ରାଣୀମାନଙ୍କଠାରୁ ମିଳିଥାଏ।
ଆମେ ବ୍ୟବହାର କରୁଥିବା ଲୁଣ ଓ ପାଣି ଉଦ୍ଭିଦ କିମ୍ବା ପ୍ରାଣୀ କାହାଠାରୁ ମଧ୍ୟ ମିଳି ନଥାଏ।