ନିମ୍ବ ଏକ ଚିରପରିଚିତ ଦ୍ରୁମ ଜାତୀୟ ବୃକ୍ଷ, ଯାହା ଗାଁ ଗଣ୍ଡା, ବାଡ଼ି ଓ ରାସ୍ତାକଡ଼ ସମେତ ସମଗ୍ର ଭାରତରେ ଦେଖିବାକୁ ମିଳେ। ଏହାର ସ୍ୱାଦ ପିତା ହୋଇଥିବାରୁ ଲୋକେ ଏହାକୁ ଆଦର କରନ୍ତି ନାହିଁ, ମାତ୍ର ଭଗବାନ ଏହା ଭିତରେ ଅନେକ ଉପକାରୀ ସୁଗୁଣ ଭରିଦେଇଛନ୍ତି। ପ୍ରବୀଣ ଆୟୁର୍ବେଦାଚାର୍ଯ୍ୟ ମହାମୁନି ଅତ୍ରେୟ ନିଜ ପ୍ରିୟ ଶିଷ୍ୟ ଜୀବକଙ୍କୁ ଏହି ଗଛର ମହିମା ଓ ଗୁଣ ବିଷୟରେ ଉପଦେଶ ଦେଇଥିଲେ। ହିନ୍ଦୁମାନଙ୍କ ଆରାଧ୍ୟ ଦେବତା ବଡ଼ଠାକୁର ଶ୍ରୀଜଗନ୍ନାଥଙ୍କ ପବିତ୍ର ଦାରୁବିଗ୍ରହ ଏହି ନିମ୍ବ କାଠରେ ହିଁ ନିର୍ମିତ ହୋଇଥାଏ। ପୂର୍ବେ ଲୋକମାନେ ଏହାକୁ ଦେବବୃକ୍ଷ ମନେକରି କେବେ କାଟୁନଥିଲେ କି ଜାଳେଣି ଭାବେ ବ୍ୟବହାର କରୁନଥିଲେ, କିନ୍ତୁ ଆଜିକାଲି ଲୋକେ ଏହାର ମୂଲ୍ୟ ଭୁଲିଯାଇ ଗଣ୍ଡି କାଟିବା ସହ କାଠକୁ ଜାଳେଣି କରୁଛନ୍ତି ।
ନିମ୍ବଗଛ ମାନବ ସମାଜର ଉପକାର କରିବାକୁ ନିଜ ଜୀବନର ବ୍ରତ ଭାବେ ଗ୍ରହଣ କରିଛି। ଏହାର ଫୁଲ, ଫଳ, ଡାଳ, ପତ୍ର ଓ ଛାଲି ପ୍ରତ୍ୟେକ ଅଂଶ ବିଭିନ୍ନ ଦୁରାରୋଗ୍ୟ ବ୍ୟାଧି ଭଲ କରିବାରେ ବ୍ୟବହୃତ ହୁଏ। ପ୍ରତିଦିନ ସକାଳେ ନିମ୍ବପତ୍ର ରସ ସହିତ ମହୁ ମିଶାଇ ପିଇଲେ କୃମି, କାଛୁ ଓ କୁଣ୍ଡିଆ ରୋଗ ଭଲ ହୋଇଥାଏ। ନିମ୍ବପତ୍ର ଏବଂ ଛାଲିକୁ ପାଣିରେ ସିଝାଇ ସେହି ପାଣିରେ ଗାଧୋଇଲେ ତଥା ଘା’ ଧୋଇଲେ ସମସ୍ତ ପ୍ରକାର ବିଷଦୋଷ ନଷ୍ଟ ହୁଏ ଏବଂ କୁଷ୍ଠ ଭଳି ଭୟାନକ ଚର୍ମରୋଗରୁ ମଧ୍ୟ ମୁକ୍ତି ମିଳେ। ପୂର୍ବକାଳରେ ଲୋକେ ନିମ୍ବ ଡାଳରେ ଦାନ୍ତ ଘଷୁଥିଲେ, ଯାହାଦ୍ୱାରା ପାଟିର ଦୁର୍ଗନ୍ଧ ଦୂର ହେବା ସହିତ ଦାନ୍ତ ଓ ମାଢ଼ି ମଜବୁତ ହେଉଥିଲା।
ବସନ୍ତ, ମିଳିମିଳା ଓ ହାଡ଼ଫୁଟି ଭଳି ସଂକ୍ରାମକ ରୋଗ ହେଲେ ରୋଗୀର ବିଛଣାରେ ନିମ୍ବପତ୍ର ବିଛାଇ ଶୁଆଇଲେ ଉପଶମ ମିଳିଥାଏ। ଏହାର ଶୁଖିଲା ପତ୍ରକୁ ନିଆଁରେ ପକାଇ ଧୂଆଁ ଦେଲେ ବାୟୁମଣ୍ଡଳରୁ ବସନ୍ତ ଭୂତାଣୁମାନେ ନଷ୍ଟ ହୋଇଯାଆନ୍ତି। ନିମ୍ବପତ୍ରରେ ପ୍ରଚୁର ଜୀବାଣୁ ପ୍ରତିରୋଧକ ଶକ୍ତି ରହିଛି। ମଧୁମେହ ରୋଗରୁ ରକ୍ଷା ପାଇବା ପାଇଁ ଲୋକେ ପ୍ରତିଦିନ ନିମ୍ବପତ୍ର ଖାଆନ୍ତି। ନିମ୍ବ ଫୁଲ ଓ ପତ୍ରକୁ ଚାଉଳ ସହିତ ବାଟି ପିଠା କରି ଖାଇଲେ ପେଟର କୃମି ନାଶ ହୁଏ। ଆୟୁର୍ବେଦ ବିଶାରଦ ଶ୍ରୀଯୁକ୍ତ ଲକ୍ଷ୍ମଣ ମିଶ୍ରଙ୍କ ମତ ଅନୁଯାୟୀ ବିଷୁବ ସଂକ୍ରାନ୍ତି ଦିନ ନିମ୍ବପତ୍ର ସେବନ କଲେ ବର୍ଷସାରା ଚର୍ମରୋଗ ହେବାର ଭୟ ରହେ ନାହିଁ।
ଏତେ ସବୁ ଉପକାର କରୁଥିଲେ ମଧ୍ୟ ଆଜିର ମଣିଷ ନିମ୍ବଗଛ ପ୍ରତି ହତାଦର ମନୋଭାବ ଦେଖାଉଛି। ତେଣୁ ନିମ୍ବଗଛ ଛାତ୍ରଛାତ୍ରୀମାନଙ୍କୁ ତାର ମହାନ ଗୁଣ ବିଷୟରେ ବୁଝିବାକୁ ଏବଂ ତାର ବଂଶ ରକ୍ଷା ତଥା ସୁରକ୍ଷା ପାଇଁ ଯତ୍ନବାନ ହେବାକୁ ଆକୁଳ ନିବେଦନ କରିଛି ।