‘ଦେଲୁ ମୋତେ ମହାଶିକ୍ଷା’ କବିତାଟି କବି ଚିନ୍ତାମଣି ପତିଙ୍କ ଦ୍ୱାରା ରଚିତ ହୋଇଛି।
ପଞ୍ଜାବକେଶରୀ ରାଜା ରଣଜିତ୍ ସିଂହ ଦଳବଳ ଧରି ଘୋଡ଼ାରେ ଏକ ନିର୍ଜନ ପଥରେ ଯାଉଥିଲେ।
ହଠାତ୍ ଅଜଣା ବ୍ୟକ୍ତି ଦ୍ୱାରା ଫିଙ୍ଗାଯାଇଥିବା ଢେଲାଟି ରାଜା ରଣଜିତ୍ ସିଂହଙ୍କ କପାଳରେ ବାଜି ରକ୍ତ ବୋହିଗଲା।
ଆଘାତ ପାଇବା ପରେ ରାଜା ତୁରନ୍ତ ଘୋଡ଼ାର ଲଗାମ କଷି ରାସ୍ତା ଉପରେ ବସିପଡ଼ିଲେ।
ରାଜାଙ୍କ କପାଳରୁ ରକ୍ତ ବୋହୁଥିବା ଦେଖି ମନ୍ତ୍ରୀ କ୍ରୋଧରେ ସେହି ଦୁର୍ମତି ବ୍ୟକ୍ତିଙ୍କୁ ଧରିଆଣିବାକୁ ସୈନ୍ୟଙ୍କୁ ଆଦେଶ ଦେଲେ।
ସୈନ୍ୟମାନେ ବଣ ଭିତରୁ ଜଣେ ଅତ୍ୟନ୍ତ ଦୁର୍ବଳ ଓ ଅସହାୟ ବୃଦ୍ଧା ନାରୀକୁ ରାଜାଙ୍କ ନିକଟକୁ ଧରିଆଣିଲେ।
ନାରୀଟିର ପିଲାମାନେ ତିନିଦିନ ଧରି ଭୋକ ଉପାସରେ ଥିବାରୁ ସେ ଗଛରୁ ଫଳ ତୋଳିବାକୁ ଢେଲା ମାରିଥିଲା।
ନାରୀଟି ମାରିଥିବା ଢେଲାଟି ଫଳରେ ନ ବାଜି ଭୁଲବଶତଃ ରାଜା ରଣଜିତ୍ ସିଂହଙ୍କ କପାଳରେ ବାଜିଥିଲା।
ରାଜା କ୍ରୋଧ ନ କରି କପାଳରୁ ବୋହୁଥିବା ରକ୍ତକୁ ନିଜ ମଥାର ଟିକା ବୋଲି କହିଥିଲେ।
ନାରୀଟି ରାଜାଙ୍କ ଆଖି ଖୋଲି ପ୍ରଜାପାଳନ ସମ୍ପର୍କରେ ଏକ ମହାଶିକ୍ଷା ଦେଇଛି ବୋଲି ରାଜା କହିଲେ।
ପ୍ରଜାମାନେ ଅନ୍ନ ବିନା କଷ୍ଟ ପାଇଲେ ରାଜା ନିଜକୁ ପୃଥିବୀର ସବୁଠାରୁ ବଡ଼ ଅପରାଧୀ ବୋଲି ବିଚାର କରିଥିଲେ।
ଦୋଷ କରି ପ୍ରଜା ଦଣ୍ଡ ନ ପାଇ ରାଜା ନିଜକୁ ଦୋଷୀ ଭାବିବା ଦେଖି ସଚିବ ଆଶ୍ଚର୍ଯ୍ୟ ହୋଇଥିଲେ।
ରାଜ୍ୟରେ କେହି ଅନାହାରରେ ଅଛନ୍ତି କି ନାହିଁ ତୁରନ୍ତ ଖବର ସଂଗ୍ରହ କରିବାକୁ ରାଜା ମନ୍ତ୍ରୀଙ୍କୁ ଆଦେଶ ଦେଲେ।
ଦେଶରୁ ଅଭାବ ଓ କଷଣ ଦୂର ନ ହେଲେ ଦେଶରେ ବୀର ସନ୍ତାନ ଜନ୍ମ ହୋଇପାରିବେ ନାହିଁ।
ରାଜା ରଣଜିତ୍ ସିଂହ ସେହି ଅସହାୟ ଦୁଃଖିନୀ ନାରୀଟିକୁ ଯଥେଷ୍ଟ ଧନ ଓ ଅନ୍ନବସ୍ତ୍ର ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଲେ।