ଓଡ଼ିଶା ରାଜ୍ୟକୁ ପର୍ବପର୍ବାଣିର ଗନ୍ତାଘର କୁହାଯାଏ ଏବଂ ଏହି ପର୍ବଗୁଡ଼ିକ ମଣିଷ ମନରୁ କ୍ଲାନ୍ତି ଦୂର କରି ଜୀବନକୁ ସରସ ସୁନ୍ଦର କରିଥାଏ ।
ଇଷ୍ଟଦେବୀଙ୍କୁ ବର୍ଷର ପ୍ରଥମ ଅନ୍ନ ସମର୍ପଣ କରି ଖାଇବାର ପବିତ୍ର ପର୍ବକୁ ‘ନୂଆଖାଇ’ କୁହାଯାଏ ।
ଭାଦ୍ରବ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଆନନ୍ଦ ଓ ଉଲ୍ଲାସର ସହିତ ନୂଆଖାଇ ପର୍ବ ପାଳନ କରାଯାଏ ।
ନୂଆଖାଇ ପର୍ବର ଠିକ୍ ପୂର୍ବଦିନ ବିଦ୍ୟାଦାତା ଓ ବିଘ୍ନବିନାଶକ ଶ୍ରୀଗଣେଶଙ୍କ ପୂଜା ଉତ୍ସବ ପାଳିତ ହୋଇଥାଏ ।
ଏହି ପର୍ବରେ ଧରିତ୍ରୀ ମାତାଙ୍କୁ କୃତଜ୍ଞତା ଜଣାଇ ବର୍ଷର ପ୍ରଥମ ଫସଲର ନୂଆ ଧାନକେଣ୍ଡା ଓ ଚୁଡ଼ା ଇଷ୍ଟଦେବୀଙ୍କୁ ଭୋଗ ଲଗାଯାଏ ।
ନୂଆଖାଇ ପୂର୍ବରୁ ଘରର ମାଆ, ଝିଅ ଓ ବୋହୂମାନେ ଠାକୁରଘର ସମେତ ସମସ୍ତ ଘରଦ୍ୱାର ଲିପାପୋଛା କରି ସଜାଡ଼ି ରଖନ୍ତି ।
ପିତୃପୁରୁଷଙ୍କୁ ପିଣ୍ଡଦାନ କଲାପରେ ଘରର ମୁଖୁଆ ନୂଆ ଲୁଗା ପିନ୍ଧି ନୂଆ ଧାନକେଣ୍ଡା, ଚୁଡ଼ା ଓ ପିଠାପଣା ଦେବଦେବୀଙ୍କୁ ସମର୍ପଣ କରନ୍ତି ।
ନୂଆଚୁଡ଼ା, ଘିଅ, ମହୁ, ଗୋରସ, ଗୁଡ଼ ଓ କଦଳୀ ମିଶାଇ ପ୍ରସ୍ତୁତ ପ୍ରସାଦକୁ ସମସ୍ତେ ପୂର୍ବଦିଗକୁ ମୁହଁକରି ପତ୍ର ଚଉତିରେ ସେବନ କରନ୍ତି ।
ପ୍ରସାଦ ସେବନ ପରେ ସାନମାନେ ବଡ଼ମାନଙ୍କୁ ମୁଣ୍ଡିଆ ମାରି ପ୍ରଣାମ କରିବା ପରମ୍ପରାକୁ ‘ନୂଆଖାଇ ଜୁହାର’ କୁହାଯାଏ ।
ନୂଆ ଖାଇସାରିବା ପରେ ଝିଅବୋହୂମାନେ ରଙ୍ଗବେରଙ୍ଗର ନୂଆ ପୋଷାକ ପିନ୍ଧି ‘ନୂଆଖାଇ ଭେଟ୍ଘାଟ୍’ ପାଇଁ ସାହି ସାହି ବୁଲନ୍ତି ।
ଭେଟ୍ଘାଟ୍ ସମୟରେ ବୁଢ଼ାବୁଢ଼ୀମାନେ ସାନମାନଙ୍କୁ ହସଖୁସିରେ ‘ବଞ୍ଚିଥିଲେ ଆର ବରଷକେ ଦେଖା ହେମାଁ’ ବୋଲି ଆଶୀର୍ବାଦ ଛଳରେ କହନ୍ତି ।
ସଂସାରରୁ ଅନ୍ନକଷ୍ଟ ଦୂର ହେବା ସହିତ ଖରିଫ୍ ଓ ରବି ଫସଲର ଉତ୍ପାଦନ ବୃଦ୍ଧି ପାଇଁ ଠାକୁରଙ୍କ ପାଖରେ ପ୍ରାର୍ଥନା କରାଯାଏ ।
ନୂଆଖାଇ ସଞ୍ଜରେ ଘୁମୁରା ନାଚ, ସଂକୀର୍ତ୍ତନ ଏବଂ ବିଶେଷକରି ଆଦିବାସୀ ସଂପ୍ରଦାୟର ନାଚଗୀତରେ ପୁରପଲ୍ଲୀ ମୁଖରିତ ହୋଇଉଠେ ।
ନୂଆଖାଇ ଏକ କୃଷିଭିତ୍ତିକ ପର୍ବ ହୋଇଥିବାରୁ ଏହା ନୂଆ ଫସଲ ଅମଳ ପାଇଁ କୃଷକ ମନରେ ନୂତନ ଉତ୍ସାହ ଭରିଦିଏ ।
ଏହି ମହାନ ପର୍ବ ସମସ୍ତ ଭେଦଭାବ ଦୂର କରି ଲୋକମାନଙ୍କ ମଧ୍ୟରେ ସାମାଜିକ ଏକତା, ଭ୍ରାତୃତ୍ୱଭାବ ଓ ସଦ୍ଭାବନା ସୃଷ୍ଟି କରିଥାଏ ।