ଓଡ଼ିଶାର ବିଭିନ୍ନ ପର୍ବପର୍ବାଣି ମଧ୍ୟରେ ‘ନୂଆଖାଇ’ ଏକ ପ୍ରସିଦ୍ଧ ସାମାଜିକ ଓ କୃଷିଭିତ୍ତିକ ପର୍ବ । ଏହା ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ପାଳନ କରାଯାଏ । ଏହି ପର୍ବର ଠିକ୍ ପୂର୍ବଦିନ ଗଣେଶ ପୂଜା ପାଳିତ ହୋଇଥାଏ । ବର୍ଷର ପ୍ରଥମ ନୂଆ ଫସଲକୁ ଇଷ୍ଟଦେବୀ, ମା’ ମହାଲକ୍ଷ୍ମୀ ଏବଂ ଧରିତ୍ରୀ ମାତାଙ୍କୁ କୃତଜ୍ଞତାର ସହ ଅର୍ପଣ କରି ସେବନ କରିବା ଏହି ପର୍ବର ମୁଖ୍ୟ ଉଦ୍ଦେଶ୍ୟ ।
ନୂଆଖାଇ ପାଇଁ ବହୁ ପୂର୍ବରୁ ଗାଁଠାରୁ ସହର ପର୍ଯ୍ୟନ୍ତ ସବୁଠି ପ୍ରସ୍ତୁତି ଚାଲେ । ଧନୀଠାରୁ ଗରିବ ସମସ୍ତେ ନିଜ ନିଜ ଘରଦ୍ୱାର ଲିପାପୋଛା କରି ସଫାସୁତୁରା ରଖନ୍ତି । ବଜାରରୁ ନୂଆ ଲୁଗାପଟା ଏବଂ ପିଠାପଣା ପାଇଁ ଚାଉଳ, ନଡ଼ିଆ, ଘିଅ, ଗୁଡ଼ ଆଦି ସାମଗ୍ରୀ କିଣାକିଣି କରାଯାଏ । ପର୍ବ ଦିନ ସକାଳୁ ସମସ୍ତେ ଗାଧୋଇ ନୂଆ ପୋଷାକ ପିନ୍ଧନ୍ତି । ପିତୃପୁରୁଷଙ୍କୁ ପିଣ୍ଡଦାନ ପରେ ଘରର ମୁଖୁଆ ଠାକୁରଙ୍କ ପାଖରେ ନୂଆ ଧାନକେଣ୍ଡା ଓ ନୂଆଚୁଡ଼ା ଭୋଗ ଲଗାନ୍ତି । ଏହି ନୂଆଚୁଡ଼ା ସହିତ ଘିଅ, ମହୁ, ଗୋରସ, ଗୁଡ଼ ଓ କଦଳୀ ମିଶାଇ ନବାନ୍ନ ପ୍ରସାଦ ତିଆରି ହୁଏ । ପରିବାରର ସମସ୍ତେ ପୂର୍ବ ଦିଗକୁ ମୁହଁ କରି ବସି ପତ୍ର ଚଉତିରେ ଏହି ପ୍ରସାଦ ଆନନ୍ଦର ସହିତ ଖାଆନ୍ତି ।
ନୂଆ ଖାଇସାରିବା ପରେ ଘରର ସାନମାନେ ବଡ଼ମାନଙ୍କୁ ମୁଣ୍ଡିଆ ମାରି ପ୍ରଣାମ କରନ୍ତି, ଯାହାକୁ ‘ନୂଆଖାଇ ଜୁହାର’ କୁହାଯାଏ । ଏହାପରେ ଝିଅବୋହୂ ଓ ଗ୍ରାମବାସୀମାନେ ନୂଆ ବେଶଭୂଷା ହୋଇ ସାହିପଡ଼ିଶା ତଥା ବନ୍ଧୁବାନ୍ଧବଙ୍କ ଘରକୁ ଯାଆନ୍ତି, ଯାହାକୁ ‘ନୂଆଖାଇ ଭେଟ୍ଘାଟ୍’ କୁହାଯାଏ । ଗୁରୁଜନମାନେ ସାନମାନଙ୍କୁ ସ୍ନେହରେ “ବଞ୍ଚିଥିଲେ ଆର ବରଷକେ ଦେଖା ହେମାଁ” କହି ଆଶୀର୍ବାଦ କରନ୍ତି । ସମସ୍ତେ ମନ୍ଦିରକୁ ଯାଇ ଉତ୍ତମ ଫସଲ ଅମଳ ଏବଂ ସଂସାରରୁ ଅନ୍ନକଷ୍ଟ ଦୂର ହେବା ପାଇଁ ପ୍ରାର୍ଥନା କରନ୍ତି । ସନ୍ଧ୍ୟାରେ ଘୁମୁରା ନାଚ, ଗୀତ ଓ ମଉଜମଜଲିସ୍ରେ ସମସ୍ତେ ମଜ୍ଜିଯାଆନ୍ତି ।
ଏହି ପର୍ବ ସମାଜରେ ଏକତା ଓ ଭାଇଚାରା ବୃଦ୍ଧି କରେ । ଏଥିରେ ଧନୀ-ଦରିଦ୍ର କିମ୍ବା ଜାତିର କୌଣସି ଭେଦଭାବ ନଥାଏ । ଲୋକମାନେ ପରସ୍ପର ମଧ୍ୟରେ ଥିବା ରାଗ-ରୁଷା ଓ ମାନ-ଅଭିମାନ ଭୁଲି ଏକାଠି ହୁଅନ୍ତି । ଏହା ଆମ ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବା ସହିତ ସମସ୍ତଙ୍କ ଜୀବନକୁ ସରସ ଓ ସୁନ୍ଦର କରିଥାଏ ।