‘ତିନି ମାଛର କାହାଣୀ’ ଶିଶୁ ସାହିତ୍ୟିକ ଉଦୟନାଥ ଷଡ଼ଙ୍ଗୀଙ୍କ ଦ୍ୱାରା ରଚିତ ଏକ ଉପାଦେୟ ନୀତିଶିକ୍ଷାମୂଳକ ଗଳ୍ପ ଅଟେ ।
ଏହି କାହାଣୀଟି ପ୍ରାଚୀନ ଭାରତର ପଣ୍ଡିତ ବିଷ୍ଣୁଶର୍ମାଙ୍କ ଦ୍ୱାରା ରଚିତ ପ୍ରସିଦ୍ଧ ନୀତିକଥା ଗ୍ରନ୍ଥ ‘ପଞ୍ଚତନ୍ତ୍ର’ ଉପରେ ଆଧାରିତ ।
ପିଲାମାନଙ୍କୁ ମନଛୁଆଁ କାହାଣୀ ମାଧ୍ୟମରେ ନୈତିକ ଶିକ୍ଷା ଓ ଜୀବନର ମୂଲ୍ୟବୋଧ ଦେବା ପଞ୍ଚତନ୍ତ୍ରର ମୂଳ ଲକ୍ଷ୍ୟ ଥିଲା ।
ବଣ ଭିତର ପୋଖରୀରେ ଅନାଗତ ବିଧାତା, ସୁଚତୁର ଓ ଦୀର୍ଘସୂତ୍ରୀ ନାମରେ ତିନୋଟି ବଡ଼ ମାଛ ବନ୍ଧୁ ଭାବରେ ବାସ କରୁଥିଲେ ।
ପୋଖରୀ କୂଳରେ ଥିବା କେରାଣ୍ଡି ଓ ଦଣ୍ଡିକିରୀ ଭଳି ସାନ ମାଛମାନେ ନିଜର ବଡ଼ିମା ଦେଖାଇ ସବୁବେଳେ ଫରଫର ହେଉଥିଲେ ।
ଦିନେ କେଉଟମାନେ ପରଦିନ ସକାଳୁ ଆସି ଜାଲ ପକାଇ ପୋଖରୀର ସବୁ ମାଛ ଧରିବା ପାଇଁ କଥାବାର୍ତ୍ତା ହୋଇଥିଲେ ।
କେଉଟମାନଙ୍କ କଥା ଶୁଣି ଭବିଷ୍ୟତ ବିପଦକୁ ଆଗୁଆ ଜାଣିପାରି ଅନାଗତ ବିଧାତା ରାତିକାରାତି ଅନ୍ୟ ପୋଖରୀକୁ ଚାଲିଗଲା ।
ସମୟ ଥାଉ ଥାଉ ଏତେ ଶୀଘ୍ର ପୋଖରୀ ଛାଡ଼ିବାକୁ ସୁଚତୁର ଏବଂ ଅଳସୁଆ ଦୀର୍ଘସୂତ୍ରୀ ମୂଳରୁ ରାଜି ହେଲେ ନାହିଁ ।
ପରଦିନ ସକାଳେ କେଉଟମାନେ ଜାଲ ପକାଇବାରୁ ସୁଚତୁର ଓ ଦୀର୍ଘସୂତ୍ରୀଙ୍କ ସହିତ ଅନେକ ମାଛ ଜାଲରେ ଧରାପଡ଼ିଲେ ।
ସୁଚତୁର ନିଜ ବୁଦ୍ଧି ବଳରେ ଜାଲର ସୂତାକୁ ବାହାର ପାଖରୁ କାମୁଡ଼ି ଧରି ମଲା ମାଛ ପରି ନିଶ୍ଚଳ ହୋଇ ପଡ଼ିରହିଲା ।
ଅଳସୁଆ ପ୍ରକୃତିର ଦୀର୍ଘସୂତ୍ରୀ ପଙ୍କ ଉପରେ ଶୋଇ ରହିଥିବାରୁ ବିପଦ ଆସିବା ଜାଣି ନ ପାରି ଜାଲ ଭିତରେ ବନ୍ଦୀ ହେଲା ।
କେଉଟମାନେ ଅନ୍ୟ ପୋଖରୀରେ ଜାଲ ବୁଡ଼ାଇ ସଫା କରିବା ସମୟରେ ସୁଚତୁର ସୂତା ଛାଡ଼ି ପାଣି ଭିତରକୁ ଖସିଗଲା ।
ଦୀର୍ଘସୂତ୍ରୀ ଜାଲ ଭିତରେ ପଡ଼ି ରହିଥିବାରୁ ପଳାଇ ନ ପାରି ଶେଷରେ କେଉଟଙ୍କ ହାତରେ ପ୍ରାଣ ହରାଇଲା ।
ଏହି କାହାଣୀରୁ ଶିକ୍ଷା ମିଳେ ଯେ ଯେତେବେଳେ ଯାହା କରିବା ଆବଶ୍ୟକ ତାହା ସଙ୍ଗେସଙ୍ଗେ ହିଁ କରିବା ଉଚିତ ।
କାର୍ଯ୍ୟକୁ ଭାଗ୍ୟ ଉପରେ ନ ଛାଡ଼ି ଉପସ୍ଥିତ ବୁଦ୍ଧି ଓ ସମୟାନୁବର୍ତ୍ତିତା ପ୍ରୟୋଗ କଲେ ବଡ଼ ବିପଦରୁ ନିଜକୁ ରକ୍ଷା କରିହୁଏ ।