ଗୋଟିଏ ବଣ ଭିତରେ ଏକ ବଡ଼ ପୋଖରୀ ଥିଲା। ସେଥିରେ ରୋହୀ, ଭାକୁର, ବାଳିଆ ଓ ଶେଉଳ ଭଳି ବହୁତ ବଡ଼ବଡ଼ ମାଛ ବାସ କରୁଥିଲେ। ସେହି ପୋଖରୀରେ କେରାଣ୍ଡି ଓ ଦଣ୍ଡିକିରୀ ଭଳି ଛୋଟଛୋଟ ମାଛ ମଧ୍ୟ ଥିଲେ। ପାଣିତଳେ ବାସ କରୁଥିବା ବଡ଼ମାଛମାନଙ୍କ ମଧ୍ୟରୁ ତିନୋଟି ମାଛ ପରସ୍ପରର ଭାରି ଭଲ ବନ୍ଧୁ ଥିଲେ। ସେମାନଙ୍କ ନାମ ଥିଲା ‘ଅନାଗତ ବିଧାତା’, ‘ସୁଚତୁର’ ଓ ‘ଦୀର୍ଘସୂତ୍ରୀ’। ଦିନେ କେତେଜଣ କେଉଟ ସେହି ବାଟ ଦେଇ ଯାଉଥିବା ବେଳେ ପୋଖରୀରେ ଅନେକ ମାଛ ଥିବା ଦେଖିଲେ। ସେମାନେ ପରସ୍ପର ମଧ୍ୟରେ କଥା ହେଲେ ଯେ ପରଦିନ ସକାଳୁ ଆସି ଜାଲ ପକାଇ ସବୁ ମାଛ ଧରିନେବେ।
କେଉଟମାନଙ୍କ କଥା ଶୁଣି ଅନାଗତ ବିଧାତା ଆଗତ ବିପଦର ଆଭାସ ପାଇ ଭୟଭୀତ ହୋଇପଡ଼ିଲା। ସେ ତୁରନ୍ତ ତା’ର ଦୁଇ ବନ୍ଧୁଙ୍କୁ ଡାକି କହିଲା ଯେ, କେଉଟମାନେ ଆସିବା ପୂର୍ବରୁ ସେମାନଙ୍କୁ ଏହି ପୋଖରୀ ଛାଡ଼ି ଅନ୍ୟ ପୋଖରୀକୁ ଚାଲିଯିବାକୁ ପଡ଼ିବ, ନଚେତ୍ ସମସ୍ତେ ମରିବେ। ମାତ୍ର ସୁଚତୁର ଏତେ ଶୀଘ୍ର ପୋଖରୀ ଛାଡ଼ିବାକୁ ଚାହିଁଲା ନାହିଁ ଏବଂ ବିପଦ ସମୟରେ ଉପାୟ ଖୋଜିବ ବୋଲି କହିଲା। ତୃତୀୟ ମାଛ ଦୀର୍ଘସୂତ୍ରୀ ଖୁବ୍ ଅଳସୁଆ ଥିଲା। ସେ କାର୍ଯ୍ୟକୁ ବିଳମ୍ବ କରିବା ସ୍ୱଭାବର ହୋଇଥିବାରୁ ଏତେ ତରତର ହେବାର ଆବଶ୍ୟକତା ନାହିଁ ବୋଲି କହିଲା। ସେମାନେ ରାଜି ନ ହେବାରୁ ଅନାଗତ ବିଧାତା ବିଳମ୍ବ ନ କରି ନିଜ ଜୀବନ ରକ୍ଷା ପାଇଁ ସେହି ଅନ୍ଧାର ରାତିରେ ହିଁ ଅନ୍ୟ ଏକ ପୋଖରୀକୁ ଚାଲିଗଲା।
ପରଦିନ ସକାଳେ କେଉଟମାନେ ଆସି ପୋଖରୀରେ ଜାଲ ପକାଇଲେ ଏବଂ ସବୁ ମାଛ ସେଥିରେ ଛନ୍ଦି ହୋଇଗଲେ। ସୁଚତୁର ଉପସ୍ଥିତ ବୁଦ୍ଧି ଖଟାଇ ଚତୁରତା ସହିତ ଜାଲର ବାହାର ପାଖ ସୂତାକୁ କାମୁଡ଼ି ଧରିଲା ଏବଂ ମଲା ମାଛ ପରି ନିଶ୍ଚଳ ହୋଇ ପଡ଼ି ରହିଲା। କେଉଟମାନେ ଜାଲରେ ଲାଗିଥିବା ପଙ୍କ ଓ ଦଳ ସଫା କରିବା ପାଇଁ ଅନ୍ୟ ଏକ ପୋଖରୀ ପାଣିରେ ଜାଲ ବୁଡ଼ାଇବା ମାତ୍ରେ, ସୁଚତୁର ସୂତା ଛାଡ଼ି ଗଭୀର ପାଣି ଭିତରକୁ ଚାଲିଯାଇ ନିଜ ପ୍ରାଣ ବଞ୍ଚାଇଲା। ମାତ୍ର ଅଳସୁଆ ଦୀର୍ଘସୂତ୍ରୀ ପଙ୍କ ଉପରେ ଶୋଇ ରହିଥିବାରୁ କିଛି ଜାଣିପାରିଲା ନାହିଁ। ନିଦ ଭାଙ୍ଗିବା ବେଳକୁ ସେ ଜାଲ ଭିତରେ ବନ୍ଧା ପଡ଼ିସାରିଥିଲା ଏବଂ ଶେଷରେ କେଉଟମାନଙ୍କ ହାତରେ ଧରାପଡ଼ି ନିଜ ଜୀବନ ହରାଇଲା।
ଏହି କାହାଣୀଟି ପ୍ରସିଦ୍ଧ ନୀତିଗ୍ରନ୍ଥ ‘ପଞ୍ଚତନ୍ତ୍ର’ରୁ ଆସିଛି। ଏହି ପାଠରୁ ଶିକ୍ଷା ମିଳେ ଯେ, କୌଣସି କାର୍ଯ୍ୟକୁ କାଲି ଉପରକୁ ଠେଲିବା କିମ୍ବା ଆଳସ୍ୟ କରି ଭାଗ୍ୟ ଉପରେ ଛାଡ଼ିଦେବା ଅନୁଚିତ। ବିପଦ ଆସିବା ପୂର୍ବରୁ ସଚେତନ ହେବା ଏବଂ ଠିକ୍ ସମୟରେ ଉପଯୁକ୍ତ ନିଷ୍ପତ୍ତି ନେବା ଦ୍ୱାରା ହିଁ ନିଜକୁ ରକ୍ଷା କରିହୁଏ। ତେଣୁ ଯେତେବେଳେ ଯାହା କରିବା ଆବଶ୍ୟକ, ତାହାକୁ ସଙ୍ଗେସଙ୍ଗେ କରିବା ଉଚିତ।