ମାନବ ସମାଜର ଏକ ଉନ୍ନତ ଓ ଶୃଙ୍ଖଳିତ ବିକାଶ ପର୍ଯ୍ୟାୟକୁ ସଭ୍ୟତା କୁହାଯାଏ। ସହର-ଯୋଜନା, ପ୍ରଶାସନିକ ବ୍ୟବସ୍ଥା, କାରିଗରୀ ଶିଳ୍ପ, ଦେଶ-ବିଦେଶରେ ବାଣିଜ୍ୟ, ଲିପି ଏବଂ ଉନ୍ନତ କୃଷି ଆଦି ଏକ ସଭ୍ୟତାର ପ୍ରମୁଖ ଲକ୍ଷଣ ଅଟେ। ପୃଥିବୀର ପ୍ରାଚୀନ ସଭ୍ୟତାଗୁଡ଼ିକ ମଧ୍ୟରେ ଭାରତୀୟ ଉପମହାଦେଶର ଉତ୍ତର-ପଶ୍ଚିମାଞ୍ଚଳରେ ଗଢ଼ିଉଠିଥିବା ‘ସିନ୍ଧୁ-ସରସ୍ୱତୀ ସଭ୍ୟତା’ ବା ‘ହରପ୍ପା ସଭ୍ୟତା’ ଅନ୍ୟତମ। ଏହି ସଭ୍ୟତାକୁ ଭାରତର ପ୍ରଥମ ସହରୀକରଣ ବୋଲି କୁହାଯାଏ। ଏହାର ପ୍ରମୁଖ ସହରଗୁଡ଼ିକ ମଧ୍ୟରେ ହରପ୍ପା, ମହେଞ୍ଜୋଦାରୋ, କାଲିବାଙ୍ଗାନ, ରାକ୍ଷୀଗଢ଼ୀ, ଲୋଥାଲ ଓ ଧୋଲାଭିରା ପ୍ରଧାନ।
ହରପ୍ପା ସଭ୍ୟତାର ସହରଗୁଡ଼ିକ ସୁଚିନ୍ତିତ ଯୋଜନା ଅନୁଯାୟୀ ନିର୍ମିତ ହୋଇଥିଲା। ସହରଗୁଡ଼ିକରେ ପ୍ରଶସ୍ତ ରାସ୍ତା ଥିଲା ଏବଂ ସାଧାରଣତଃ ଏହା ଦୁଇଟି ଭାଗରେ ବିଭକ୍ତ ଥିଲା— ସମ୍ଭ୍ରାନ୍ତ ଲୋକଙ୍କ ପାଇଁ ଉପର ସହର ବା ଦୁର୍ଗ ଏବଂ ସାଧାରଣ ଲୋକଙ୍କ ନିମନ୍ତେ ନିମ୍ନ ସହର। ମହେଞ୍ଜୋଦାରୋର ବିଶାଳ ସ୍ନାନାଗାର ଓ ଶତାଧିକ କୂଅ ଏବଂ ଧୋଲାଭିରାର ପଥର ନିର୍ମିତ ବିରାଟ ଜଳଭଣ୍ଡାର ସେମାନଙ୍କର ଉତ୍କୃଷ୍ଟ ଜଳ ସଂରକ୍ଷଣ ଓ ପରିଚାଳନା ଜ୍ଞାନର ପରିଚୟ ଦିଏ। ପ୍ରତ୍ୟେକ ଘରୁ ବର୍ଜ୍ୟଜଳ ନିଷ୍କାସନ ପାଇଁ ରାସ୍ତା କଡ଼ରେ ଢାଙ୍କୁଣି ଥିବା ନାଳ ବା ଡ୍ରେନ୍ ବ୍ୟବସ୍ଥା ରହିଥିଲା।
ସେହି ସମୟର ଲୋକମାନେ ଗହମ, ବାର୍ଲି, ଡାଲି ଓ ପନିପରିବା ଚାଷ କରିବା ସହ ପୋଷାକ ବୁଣିବା ପାଇଁ କପା ଉତ୍ପାଦନ କରୁଥିଲେ। ଚାଷ ପାଇଁ ମାଟି ଓ କାଠର ହଳ ବ୍ୟବହାର ହେଉଥିଲା। ଏଥିସହ ପଶୁପାଳନ ଓ ମାଛ ଧରିବା ମଧ୍ୟ ସେମାନଙ୍କ ଜୀବିକାର ଅଂଶ ଥିଲା। ହରପ୍ପାର କାରିଗରମାନେ ତମ୍ବା ଏବଂ କଂସା ବା ବ୍ରୋଞ୍ଜ ଧାତୁରୁ ବିଭିନ୍ନ ଅସ୍ତ୍ରଶସ୍ତ୍ର ଓ ବାସନକୁସନ ତିଆରି କରୁଥିଲେ। ସୁନ୍ଦର କାର୍ନେଲିଆନ୍ ମାଳି, ଶଙ୍ଖର ଚୁଡ଼ି ଓ ଟେରାକୋଟା ଖେଳନା ନିର୍ମାଣରେ ସେମାନେ ନିପୁଣ ଥିଲେ। ଗୁଜରାଟର ଲୋଥାଲ୍ ପୋତାଶ୍ରୟ ମାଧ୍ୟମରେ ସେମାନେ ଜଳପଥରେ ଦୂରଦେଶ ସହିତ ବାଣିଜ୍ୟ କରୁଥିଲେ। ବ୍ୟବସାୟରେ ବ୍ୟବହୃତ ଷ୍ଟିଏଟାଇଟ୍ ପଥରର ମୋହର ଏବଂ ନିର୍ଦ୍ଦିଷ୍ଟ ବଟକରା ସେମାନଙ୍କ ଉନ୍ନତ ବାଣିଜ୍ୟ ବ୍ୟବସ୍ଥାକୁ ସୂଚାଏ।
ଖ୍ରୀଷ୍ଟପୂର୍ବ ପ୍ରାୟ ୧୯୦୦ ବେଳକୁ ଜଳବାୟୁ ପରିବର୍ତ୍ତନ, ବୃଷ୍ଟିପାତ ହ୍ରାସ ଏବଂ ସରସ୍ୱତୀ ନଦୀ ଶୁଖିଯିବା ଯୋଗୁଁ ଏହି ମହାନ ନଗର ସଭ୍ୟତା ଧୀରେ ଧୀରେ ଭାଙ୍ଗିବାକୁ ଲାଗିଲା। ଫଳରେ ସହରର ଲୋକମାନେ ପୁଣି ଗ୍ରାମୀଣ ଜୀବନଶୈଳୀକୁ ଫେରିଆସିଲେ। ସହରଗୁଡ଼ିକ ଲୋପ ପାଇଥିଲେ ମଧ୍ୟ ସେମାନଙ୍କର କାରିଗରୀ କୌଶଳ, ପରମ୍ପରା ଓ ଜ୍ଞାନ ଭାରତୀୟ ସଂସ୍କୃତିର ପରବର୍ତ୍ତୀ ପର୍ଯ୍ୟାୟକୁ ସମୃଦ୍ଧ କରିଥିଲା।