ପବିତ୍ର ଋଷିଙ୍କ ଆଶ୍ରମରେ ପୁସ୍ତକ ଅଧ୍ୟୟନ ସହିତ ଉଦ୍ୟାନକର୍ମ, ଗୋ-ସେବା ଏବଂ କୃଷିକାର୍ଯ୍ୟ ପରି ବ୍ୟବହାରିକ ଶିକ୍ଷା ପ୍ରଦାନ କରାଯାଉଥିଲା ।
ଶିଷ୍ୟ ଚରକ ବନଜଙ୍ଗଲ ବୁଲି ନିରୀକ୍ଷଣ କରି ଜାଣିପାରିଥିଲେ ଯେ ପୃଥିବୀର ପ୍ରତ୍ୟେକ ଗଛଲତା ମଧ୍ୟରେ ଔଷଧୀୟ ଗୁଣ ଭରି ରହିଛି ।
ପରବର୍ତ୍ତୀ ସମୟରେ ଚରକ ଜଣେ ବିଶିଷ୍ଟ ଚିକିତ୍ସାବିଜ୍ଞାନୀ ଭାବରେ ସୁପ୍ରତିଷ୍ଠିତ ହୋଇ ‘ଚରକ ସଂହିତା’ ନାମକ ଶାସ୍ତ୍ର ରଚନା କରିଥିଲେ ।
ପୁରାଣ ଅନୁସାରେ ସୁସନ୍ତାନମାନଙ୍କୁ ଜନ୍ମ ଦେବା ଅପେକ୍ଷା ଧରିତ୍ରୀରେ ବୃକ୍ଷରୋପଣ କରିବା ଅଧିକ ପୁଣ୍ୟକାର୍ଯ୍ୟ ବୋଲି ବର୍ଣ୍ଣନା କରାଯାଇଛି ।
ବୃକ୍ଷଲତା ପରିବେଶର ସୁରକ୍ଷା, ମୃତ୍ତିକା ସଂରକ୍ଷଣ ଏବଂ ଜଳବାୟୁ ନିୟନ୍ତ୍ରଣ କରି ମନୁଷ୍ୟକୁ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ଯୋଗାଇଥାଏ ।
ଅରଣ୍ୟ ସମ୍ପଦ ହ୍ରାସ ପାଇବା ଫଳରେ ପୃଥିବୀରେ ବୃଷ୍ଟିପାତ ଅନିୟମିତ ହୋଇ ବହୁ ଦେଶରେ ଘୋର ଦୁର୍ଗତି ଦେଖାଦେଉଛି ।
ଜଙ୍ଗଲ ସମ୍ପଦର ବିନାଶ ଯୋଗୁଁ ଆମ ରାଜ୍ୟର କଳାହାଣ୍ଡି ଜିଲ୍ଲାରେ ବାରମ୍ବାର ଅନାବୃଷ୍ଟି ଘଟି ଦୁର୍ଭିକ୍ଷ ପରିସ୍ଥିତି ସୃଷ୍ଟି ହେଉଛି ।
ବୃକ୍ଷଲତା ଆଲୋକସଂଶ୍ଳେଷଣ ପ୍ରକ୍ରିୟାରେ ବାୟୁରୁ ଅଙ୍ଗାରକାମ୍ଳ ବାଷ୍ପ ଗ୍ରହଣ କରି ସମଗ୍ର ଜୀବଜଗତ ପାଇଁ ଅମ୍ଳଜାନ ଛାଡ଼ିଥାନ୍ତି ।
କଳକାରଖାନା ଓ ଯାନବାହନରୁ ନିର୍ଗତ କ୍ଷତିକାରକ ଅଙ୍ଗାରକାମ୍ଳ ବାଷ୍ପ ଶୋଷଣ କରି ଗଛଲତା ପରିବେଶକୁ ପ୍ରଦୂଷଣମୁକ୍ତ ରଖିବାରେ ସାହାଯ୍ୟ କରନ୍ତି ।
ବୃକ୍ଷଲତାର ଚେର ଭୂମିକୁ ଜାବୋଡ଼ି ଧରି ବର୍ଷା ଓ ଜଳସ୍ରୋତ ଦାଉରୁ ମୂଲ୍ୟବାନ ମୃତ୍ତିକାକୁ କ୍ଷୟ ହେବାରୁ ରକ୍ଷା କରିଥାଏ ।
ଅରଣ୍ୟ ନଷ୍ଟ ହେବା ଫଳରେ ସୁନ୍ଦର ଶ୍ୟାମଳ ଭୂମି ଶୁଷ୍କ, କଙ୍କରିଳ ଏବଂ ଉଷର ମରୁଭୂମିରେ ପରିଣତ ହେଉଛି ।
ମୃତ୍ତିକା କ୍ଷୟ ଯୋଗୁଁ ନଦୀ ଏବଂ ହୀରାକୁଦ ପରି ବିରାଟ ଜଳଭଣ୍ଡାରର ଶଯ୍ୟା କ୍ରମଶଃ ପୋତି ହୋଇ ବିପଦ ସୃଷ୍ଟି କରୁଛି ।
ଜଙ୍ଗଲ ଧ୍ୱଂସ ହେବା କାରଣରୁ କାଠ, ଲାଖ ଓ ଝୁଣା ପରି ବନଜାତ ଦ୍ରବ୍ୟ ଦୁର୍ମୂଲ୍ୟ ହୋଇ ବହୁ ବନ୍ୟପ୍ରାଣୀ ଲୋପ ପାଇଲେଣି ।
ଉଦ୍ଭିଦଜଗତ ବିନା ପ୍ରାଣୀଜଗତର ବଞ୍ଚିବା ସମ୍ପୂର୍ଣ୍ଣ ଅସମ୍ଭବ ହୋଇଥିବାରୁ ମନୁଷ୍ୟ ଉଦ୍ଭିଦ ନିକଟରେ ସର୍ବଦା ଋଣୀ ରହିଛି ।
ଗଛଲତାର ଅପାର ଉପକାରିତା ଯୋଗୁଁ ଏହାକୁ ‘ସବୁଜସ୍ୱର୍ଣ୍ଣ’ କୁହାଯାଏ ଏବଂ ସାମାଜିକ ବନୀକରଣ ମାଧ୍ୟମରେ ଏହାର ସୁରକ୍ଷା କରିବା ନିତାନ୍ତ ଜରୁରୀ ।