ପ୍ରାଚୀନ କାଳରେ ଋଷିଙ୍କ ଆଶ୍ରମରେ ଶିଷ୍ୟମାନେ ପୋଥି ପଢ଼ିବା ସହିତ ନାନାଦି ବ୍ୟାବହାରିକ କାର୍ଯ୍ୟ ଶିକ୍ଷା କରୁଥିଲେ । ଥରେ ଜଣେ ଗୁରୁ ଶିଷ୍ୟମାନଙ୍କୁ ପରୀକ୍ଷା କରିବା ପାଇଁ ମଣିଷର କୌଣସି ଉପକାରରେ ଆସୁନଥିବା ଗଛଟିଏ ଖୋଜି ଆଣିବାକୁ ନିର୍ଦ୍ଦେଶ ଦେଲେ । ଅନେକ ଶିଷ୍ୟ କେତେକ ଗଛକୁ ଅଦରକାରୀ ବୋଲି ଜଣାଇଲେ । ମାତ୍ର ଚରକ ନାମକ ଜଣେ ଶିଷ୍ୟ ଦୀର୍ଘ ଏକବର୍ଷ କାଳ ବଣଜଙ୍ଗଲ, ଗାଁଗଣ୍ଡା ଓ ପାହାଡ଼ପର୍ବତ ବୁଲି ଗୁରୁଙ୍କୁ ଜଣାଇଲେ ଯେ, ପୃଥିବୀରେ ଗୋଟିଏ ହେଲେ ଅଦରକାରୀ ଗଛ ବା ଲତା ନାହିଁ । ପ୍ରତ୍ୟେକ ଉଦ୍ଭିଦରେ କିଛି ନା କିଛି ଔଷଧୀୟ ଗୁଣ ଭରି ରହିଛି । ଏହି ଉତ୍ତରରେ ଗୁରୁ ସନ୍ତୁଷ୍ଟ ହୋଇ ତାଙ୍କୁ ଆଶୀର୍ବାଦ କଲେ । ପରବର୍ତ୍ତୀ ସମୟରେ ଏହି ଚରକ ଜଣେ ପ୍ରସିଦ୍ଧ ଚିକିତ୍ସାବିଜ୍ଞାନୀ ଭାବରେ ପରିଚିତ ହୋଇ ‘ଚରକ ସଂହିତା’ ରଚନା କରିଥିଲେ ।
ବୃକ୍ଷଲତା ମଣିଷର ଏକାନ୍ତ ଉପକାରୀ ବନ୍ଧୁ । ଆମ ପୁରାଣରେ ମଧ୍ୟ ବୃକ୍ଷରୋପଣକୁ ଅତ୍ୟନ୍ତ ପୁଣ୍ୟକାର୍ଯ୍ୟ ବୋଲି କୁହାଯାଇଛି । ଏହାର ଅପାର ଉପକାରିତା ଯୋଗୁଁ ବୃକ୍ଷଲତାକୁ ‘ସବୁଜସ୍ୱର୍ଣ୍ଣ’ କୁହାଯାଏ । ବୃକ୍ଷଲତା ଆଲୋକସଂଶ୍ଳେଷଣ ପ୍ରକ୍ରିୟାରେ ବାୟୁରୁ କ୍ଷତିକାରକ ଅଙ୍ଗାରକାମ୍ଳ ବାଷ୍ପ ଗ୍ରହଣ କରି ପରିବେଶକୁ ପ୍ରଦୂଷଣମୁକ୍ତ କରନ୍ତି ଏବଂ ଜୀବଜଗତ ପାଇଁ ଆବଶ୍ୟକ ଅମ୍ଳଜାନ ଛାଡ଼ନ୍ତି । ଏହାସହ ମାଟି ଭିତରେ ଚେର ବିସ୍ତାର କରି ମୃତ୍ତିକା କ୍ଷୟ ରୋକନ୍ତି ଓ ବୃଷ୍ଟିପାତରେ ସହାୟତା କରନ୍ତି । ମଣିଷ ନିଜର ଦୈନନ୍ଦିନ ଖାଦ୍ୟ, ବସ୍ତ୍ର, ବାସଗୃହ ଓ ବିଭିନ୍ନ ଔଷଧ ପାଇଁ ସମ୍ପୂର୍ଣ୍ଣ ଭାବରେ ଉଦ୍ଭିଦ ଉପରେ ନିର୍ଭର କରେ ।
ମାତ୍ର ବର୍ତ୍ତମାନ ଜନସଂଖ୍ୟା ବୃଦ୍ଧି ଯୋଗୁଁ ମଣିଷ ଅବିଚାରିତ ଭାବେ ଜଙ୍ଗଲ ଧ୍ୱଂସ କରୁଛି । ଏହି କାରଣରୁ ବୃଷ୍ଟିପାତରେ ଅନିୟମିତତା ଦେଖାଦେଇ ଆମ ରାଜ୍ୟର କଳାହାଣ୍ଡି ଭଳି ଅଞ୍ଚଳରେ ବାରମ୍ବାର ଅନାବୃଷ୍ଟି ଓ ଦୁର୍ଭିକ୍ଷ ଘଟୁଛି । ଜଙ୍ଗଲ ନଷ୍ଟ ହେବା ଫଳରେ ମାଟି ଧୋଇ ହୋଇ ନଦୀ ଓ ହୀରାକୁଦ ଭଳି ବୃହତ୍ ଜଳଭଣ୍ଡାରଗୁଡ଼ିକ ପୋତି ହୋଇଯାଉଛି ଏବଂ ଅନେକ ଦୁର୍ଲଭ ପଶୁପକ୍ଷୀ ଲୋପ ପାଉଛନ୍ତି । ତେଣୁ ଜଙ୍ଗଲ କାଟିବା ବନ୍ଦ କରି ବ୍ୟାପକ ବୃକ୍ଷରୋପଣ କରିବା, ମୃତ୍ତିକା ସଂରକ୍ଷଣ ତଥା ସାମାଜିକ ବନୀକରଣ ଯୋଜନାକୁ ଆପଣେଇ ନେବା ଆମ ସମସ୍ତଙ୍କର ପରମ କର୍ତ୍ତବ୍ୟ ।