ଖେଳ ଶରୀର ଗଠନରେ ସାହାଯ୍ୟ କରିବା ସହିତ ଆମକୁ ସୁସ୍ଥ, ସତେଜ ଓ କର୍ମଠ ରଖିବାରେ ବିଶେଷ ସହାୟକ ହୋଇଥାଏ ।
ଖେଳଗୁଡ଼ିକୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଏ, ଯଥା ଘରଭିତରେ ଖେଳାଯାଉଥିବା ଖେଳ ଏବଂ ଘରବାହାରେ ଖେଳାଯାଉଥିବା ଖେଳ ।
ହକି ଖେଳରେ ପ୍ରତି ଦଳରେ ଏଗାର ଜଣ ଲେଖାଏଁ ଖେଳାଳି କାଠ ତିଆରି ଷ୍ଟିକ୍ ବା ବାଡ଼ି ସାହାଯ୍ୟରେ ବଲ୍ ଗଡ଼ାଇ ଖେଳନ୍ତି ।
ପୂର୍ବକାଳରେ ପାରସ୍ୟର ଲୋକମାନେ ହକି ପରି ଏକ ଖେଳ ଖେଳୁଥିଲେ ଏବଂ ପରବର୍ତ୍ତୀ ସମୟରେ ଗ୍ରୀସ୍ ଓ ରୋମ୍ର ଲୋକମାନେ ତାହା ଶିଖିଥିଲେ ।
ଆଧୁନିକ ହକି ଖେଳ ପ୍ରଥମେ ୧୮୭୫ ମସିହାରେ ଇଂଲଣ୍ଡରେ ଆରମ୍ଭ ହୋଇଥିଲା ।
ଭାରତରେ ହକି ଜାତୀୟ ଖେଳର ଗୌରବ ଲାଭ କରି ପୃଥିବୀରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ।
୧୯୨୮ ମସିହାରେ ହଲାଣ୍ଡରେ ଅନୁଷ୍ଠିତ ଅଲମ୍ପିକ୍ କ୍ରୀଡ଼ାରେ ଭାରତୀୟ ହକି ଦଳ ପ୍ରଥମ ଥର ପାଇଁ ସ୍ୱର୍ଣ୍ଣପଦକ ହାସଲ କରିଥିଲା ।
୧୯୬୪ ମସିହାରେ ଟୋକିଓଠାରେ ଅନୁଷ୍ଠିତ ଅଲମ୍ପିକ୍ କ୍ରୀଡ଼ାରେ ଭାରତ ହକି ଖେଳରେ ବିଜୟଲାଭ କରି ନିଜର ପୂର୍ବ ଗୌରବ ବଜାୟ ରଖିଥିଲା ।
ବିଶିଷ୍ଟ କ୍ରୀଡ଼ାବିତ୍ ଜୟପାଳ ସିଂହ ଏବଂ ମେଜର ଧ୍ୟାନଚାନ୍ଦ ଭାରତୀୟ ହକିର ଗୌରବ ବୃଦ୍ଧିରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।
ଝାନ୍ସୀ ଅଞ୍ଚଳରେ ଜନ୍ମଗ୍ରହଣ କରିଥିବା ଉଚ୍ଚକୋଟୀର ହକି ଖେଳାଳି ଧ୍ୟାନଚାନ୍ଦଙ୍କୁ ଲୋକମାନେ ‘ଝାନ୍ସୀ ବୀର’ ବୋଲି କହୁଥିଲେ ।
୧୯୩୬ ମସିହାର ବର୍ଲିନ ଅଲମ୍ପିକ୍ସରେ ଚମକପ୍ରଦ ଖେଳ ପ୍ରଦର୍ଶନ କରି ଧ୍ୟାନଚାନ୍ଦ ‘ହକି ଖେଳର ଯାଦୁକର’ ଆଖ୍ୟା ପାଇଥିଲେ ।
୧୯୭୫ ମସିହାରେ ଅନୁଷ୍ଠିତ ବିଶ୍ୱ ହକି ପ୍ରତିଯୋଗିତାରେ ଭାରତ ବିଜୟୀ ହୋଇ ହକି କପ୍ ହାସଲ କରିଥିଲା ।
୧୯୭୫ ବିଶ୍ୱକପ୍ ପ୍ରତିଯୋଗିତାରେ ଓଡ଼ିଶାର ବିଶିଷ୍ଟ ହକି ଖେଳାଳି ମାଇକେଲ୍ କିଣ୍ଡୋ ଉଚ୍ଚକୋଟୀର ଦକ୍ଷତା ପ୍ରଦର୍ଶନ କରିଥିଲେ ।
ଭିଲ-ଭିଲାଲା ଜନଜାତିର ପିଲାମାନେ ବାଉଁଶ ବାଡ଼ି ଓ ବଲ୍ ସାହାଯ୍ୟରେ ପାରମ୍ପରିକ ‘ଦାଣ୍ଡି’ ବା ‘ଗୋଥା’ ଖେଳ ଖେଳନ୍ତି ।
ଓଡ଼ିଶାର ସାହସୀ ପର୍ବତାରୋହୀ କଳ୍ପନା ଦାଶ ୨୦୦୮ ମସିହା ମେ ୨୧ ତାରିଖରେ ମାଉଣ୍ଟ ଏଭେରେଷ୍ଟ ଶିଖରରେ ଭାରତର ବିଜୟଧ୍ୱଜା ଉଡ଼ାଇଥିଲେ ।