'ବର୍ଷା' କବିତାଟି ପଞ୍ଚଦଶ ଶତାବ୍ଦୀର ସାଧକ କବି ଅତିବଡ଼ି ଜଗନ୍ନାଥ ଦାସଙ୍କ ଦ୍ୱାରା ରଚିତ ।
ଏହି କବିତାଟି କବିଙ୍କର ପ୍ରସିଦ୍ଧ ପବିତ୍ର ଧର୍ମଗ୍ରନ୍ଥ 'ଓଡ଼ିଆ ଭାଗବତ'ର ଦଶମ ସ୍କନ୍ଧ ଏକବିଂଶ ଅଧ୍ୟାୟରୁ ଆନୀତ ।
କବିତାଟିରେ ପ୍ରକୃତି ଜୀବଜଗତର ଆବଶ୍ୟକତା ତଥା ଦୁଃଖକଷ୍ଟ ଦୂର କରିବା ପାଇଁ ସର୍ବଦା ତତ୍ପର ଥିବା କଥା ବର୍ଣ୍ଣିତ ହୋଇଛି ।
ଗ୍ରୀଷ୍ମକାଳ ଶେଷ ହେବା ପରେ ପୃଥିବୀରେ ସକଳ ଋତୁଙ୍କର ସାର ବର୍ଷା ଋତୁର ଆଗମନ ଘଟିଛି ।
ଆକାଶପଥରେ ବିଜୁଳିର ଶବ୍ଦ ସହିତ ଘୋର ଗର୍ଜନ କରି ମେଘମାଳା ମର୍ତ୍ତ୍ୟମଣ୍ଡଳକୁ ଜଳ ବର୍ଷଣ କରିଛନ୍ତି ।
ପ୍ରାଣୀମାନଙ୍କ ଜୀବନସ୍ୱରୂପ ଜଳରାଶିକୁ ମେଘ ଅତ୍ୟନ୍ତ କରୁଣା ଚିତ୍ତରେ ଏହି ଧରାପୃଷ୍ଠରେ ବର୍ଷଣ କରିଛି ।
ସୂର୍ଯ୍ୟଙ୍କ ଉତ୍ତପ୍ତ କିରଣରେ ପୃଥିବୀ ଦୀର୍ଘ ଆଠ ମାସ ଧରି କଷ୍ଟ ପାଇ ତାପିତ ହୋଇ ରହିଥିଲା ।
ତପସ୍ୟାର ଫଳ ପାଇ ତପସ୍ବୀମାନେ ଯେପରି ସୁଖ ଭୋଗ କରନ୍ତି, ବର୍ଷାଜଳ ପାଇ ଧରଣୀ ସେହିପରି ଆନନ୍ଦିତ ହୋଇଛି ।
ରାତି ଆରମ୍ଭ ହେବା ମାତ୍ରେ ଜୁଳୁଜୁଳିଆ ପୋକ ବା ଖଦ୍ୟୋତ କୀଟମାନେ ଚାରିଆଡ଼େ ଆନନ୍ଦରେ ଉଡ଼ିବୁଲି ଜଗତକୁ ଆବୋରି ରଖିଛନ୍ତି ।
ମେଘର ଘୋର ଗର୍ଜନ ଶୁଣି ମଣ୍ଡୂକ ବା ବେଙ୍ଗମାନେ ପାଣି ଭିତରେ ରହି ଚାରିଆଡ଼େ ରାବିବା ଆରମ୍ଭ କରିଛନ୍ତି ।
ବର୍ଷାର ପ୍ରଚୁର ଜଳ ପାଇ ଛୋଟ ଛୋଟ ନଦୀଗୁଡ଼ିକ ପୂର୍ଣ୍ଣ ହୋଇ ତରଙ୍ଗ ସହିତ ଉଛୁଳି ଉଠିଛନ୍ତି ।
ବର୍ଷାର ଆଗମନରେ ପୃଥିବୀରେ ନାନା ପ୍ରକାର ଶସ୍ୟରାଶି ଭରିଯାଇ ଧରଣୀ ଶସ୍ୟଶ୍ୟାମଳା ଓ ସୁନ୍ଦର ଦେଖାଯାଉଛି ।
ଫୁଟିଥିବା ଛତୁଗୁଡ଼ିକ ଛତା ଭଳି ଶୋଭା ପାଉଥିବାରୁ ପୃଥିବୀ ସତେ ଯେମିତି ଜଣେ ରାଜାଙ୍କ ପରି ପ୍ରତୀୟମାନ ହେଉଛି ।
ଭକ୍ତମାନେ ଅତିଥିଙ୍କୁ ଦେଖି ଯେପରି ଖୁସି ହୁଅନ୍ତି, ମୟୂରମାନେ ସେହିପରି ମେଘକୁ ଦେଖି ପର୍ବତ ଶିଖରରେ ଆନନ୍ଦରେ ନାଚୁଛନ୍ତି ।
ବର୍ଷା ବିନ୍ଦୁ ଉପରେ ସୂର୍ଯ୍ୟଙ୍କ କିରଣ ପଡ଼ିଲେ ଆକାଶରେ ସୁନ୍ଦର ଇନ୍ଦ୍ରଧନୁ ସୃଷ୍ଟି ହୋଇଥାଏ ।