ଯତ୍ନ, ଅଧ୍ୟବସାୟ ଏବଂ ଉଦ୍ୟମ ବଳରେ ଏହି ପୃଥିବୀରେ ଯେକୌଣସି ଅସାଧ୍ୟ କାର୍ଯ୍ୟକୁ ସାଧନ କରାଯାଇପାରେ ।
ଅତି କଠିନ ପଥର ବା ପାହାଡ଼କୁ ଖୋଳିବା ଦ୍ଵାରା ମଧ୍ୟ ସେଥିରୁ ମଧୁର ଜଳ ଝରଣା ବାହାରିଥାଏ ।
ଜୋକ ଯେପରି ଅମୃତମୟ ମାତୃସ୍ତନରୁ କେବଳ ରକ୍ତ ଶୋଷେ, ସେହିପରି ଦୁର୍ଜନ ବ୍ୟକ୍ତି କେବଳ ଅନ୍ୟର ଦୋଷ ଦେଖିଥାଏ ।
ମୂର୍ଖ ବ୍ୟକ୍ତି କେବେହେଲେ ସାଧୁ ପୁରୁଷଙ୍କ ପବିତ୍ର ତଥା କଲ୍ୟାଣକାରୀ ଉପଦେଶର ମହତ୍ତ୍ଵ ବୁଝିପାରେ ନାହିଁ ।
ପଦ୍ମ ଫୁଲର ସୁନ୍ଦର ବାସ୍ନାକୁ ବେଙ୍ଗ କେବେ ମଧ୍ୟ ଅନୁଭବ କରିପାରେ ନାହିଁ ।
ପର ଅଧୀନରେ ବନ୍ଦୀ ହୋଇ ରହୁଥିବା ପ୍ରାଣୀ ଜୀବନସାରା ଅସରନ୍ତି କଷ୍ଟ ଓ ଯନ୍ତ୍ରଣା ଭୋଗ କରିଥାଏ ।
ହାତୀ ଭଳି ବିଶାଳକାୟ ବଳବାନ ପଶୁ ମଧ୍ୟ ପରାଧୀନ ହେଲେ ମାହୁନ୍ତର ଛୋଟ ଅଙ୍କୁଶ ବାଡ଼ିକୁ ଭୟ କରେ ।
ଦେଶ କିମ୍ବା ଯୁଦ୍ଧ ଜୟ କରୁଥିବା ବୀରଙ୍କ ଅପେକ୍ଷା ନିଜ ମନ ଓ ହୃଦୟକୁ ଜିଣିଥିବା ବ୍ୟକ୍ତି ସଂସାରରେ ଶ୍ରେଷ୍ଠ ଅଟନ୍ତି ।
ଚମ୍ପାଫୁଲ ରୂପ ଓ ସୁବାସରେ ଭରି ରହିଥିଲେ ମଧ୍ୟ ଅତ୍ୟଧିକ ଉତ୍କଟ ଗନ୍ଧ ହେତୁ ଭ୍ରମର ତାହା ପାଖକୁ ଯାଏ ନାହିଁ ।
ଅମୃତ କଳସରେ ଟୋପାଏ ବିଷ ପଡ଼ିଲେ ତାହା ଯେପରି ନଷ୍ଟ ହୁଏ, ଗୋଟିଏ ଦୋଷ ବ୍ୟକ୍ତିର କୋଟିଏ ଗୁଣକୁ କ୍ଷତି ପହଞ୍ଚାଏ ।
ଶିଶୁସାହିତ୍ୟିକ ରାମକୃଷ୍ଣ ନନ୍ଦ କଟକ ଜିଲ୍ଲା ଗୋବିନ୍ଦପୁର ଅନ୍ତର୍ଗତ ବାଇରୋଇ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।
କବି ରାମକୃଷ୍ଣ ନନ୍ଦ ଓଡ଼ିଶାର ଘରେ ଘରେ ପରିଚିତ ପ୍ରାର୍ଥନା ‘ଆହେ ଦୟାମୟ ବିଶ୍ଵବିହାରୀ’ ରଚନା କରିଥିଲେ ।
ଆଲୋଚ୍ୟ ‘ନୀତି-ବଚନ’ କବିତାଟି କବି ରାମକୃଷ୍ଣ ନନ୍ଦଙ୍କ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ ପୁସ୍ତକ ‘ଝୁମୁକା’ରୁ ଆନୀତ ହୋଇଛି ।
‘ପ୍ରତିଧ୍ଵନି’, ‘ସଂଗ୍ରାମ ଓ ସାଧନା’, ‘ବିଜ୍ଞାନ କୁହୁକ’ ଏବଂ ‘ଜୀବନ ତରଙ୍ଗ’ କବିଙ୍କଦ୍ୱାରା ରଚିତ ଅନ୍ୟାନ୍ୟ ଜଣାଶୁଣା ପୁସ୍ତକ ଅଟେ ।
କବିତାଟିରେ ନୀତିଶିକ୍ଷା ମାଧ୍ୟମରେ ମଣିଷକୁ ସତ୍ଗୁଣବାନ୍, ପରିଶ୍ରମୀ, ସଂଯମୀ ତଥା ଦୋଷମୁକ୍ତ ଜୀବନଯାପନ କରିବାକୁ ପ୍ରେରଣା ଦିଆଯାଇଛି ।