ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଏକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଷଷ୍ଠ ଶ୍ରେଣୀର ଚାରିଜଣ ଛାତ୍ରଛାତ୍ରୀ ସେହି ଅଞ୍ଚଳର ପ୍ରସିଦ୍ଧ ‘ଛଉନୃତ୍ୟ’ ପରିବେଷଣ କରିବାକୁ ସ୍ଥିର କରନ୍ତି । ସେମାନେ ବିଦ୍ୟାଳୟ ପାଠାଗାରରୁ ‘ଓଡ଼ିଆ ଲୋକସାହିତ୍ୟ ଓ ଲୋକସଂସ୍କୃତି’ ପୁସ୍ତକ ପଢ଼ି ଛଉନୃତ୍ୟ ବିଷୟରେ ଅନେକ ଗୁରୁତ୍ୱପୂର୍ଣ୍ଣ କଥା ଜାଣିବାକୁ ପାଆନ୍ତି ।
‘ଛଉ’ ଶବ୍ଦର ଅର୍ଥ ଓ ଉତ୍ପତ୍ତି ସମ୍ପର୍କରେ ଭିନ୍ନ ଭିନ୍ନ ମତ ରହିଛି । କେତେକଙ୍କ ମତରେ ଏହାର ଅର୍ଥ ‘ମୁଖା’ ଏବଂ ମୁଖା ପିନ୍ଧି ନାଚ କରାଯାଉଥିବାରୁ ଏହାକୁ ଛଉନାଚ କୁହାଯାଏ । ଅନ୍ୟ ଏକ ମତ ଅନୁସାରେ ଅତୀତରେ ପାଇକମାନେ ନିଜ ସେନାଛାଉଣିରେ ଯୁଦ୍ଧାଭ୍ୟାସ କରୁଥିବାରୁ ‘ଛାଉଣି’ ଶବ୍ଦରୁ ‘ଛଉ’ ଶବ୍ଦର ସୃଷ୍ଟି ହୋଇଛି । ଭାଷାବିତ୍ ଡକ୍ଟର ସୁକୁମାର ସେନ୍ ଏହାକୁ ‘ଶୌଭିକ’ ବା ମୂକାଭିନୟରୁ ସୃଷ୍ଟି ବୋଲି କହିଛନ୍ତି । ଏହି ନୃତ୍ୟର ମୁଖ୍ୟ ରସ ହେଉଛି ‘ବୀରରସ’ । ଭାରତରେ ଓଡ଼ିଶାର ମୟୂରଭଞ୍ଜ, ବିହାରର ଷଢ଼େଇକଳା ଏବଂ ପଶ୍ଚିମବଙ୍ଗର ପୁରୁଲିଆ ଅଞ୍ଚଳରେ ଏହି ନୃତ୍ୟର ବିଶେଷ ପ୍ରଚଳନ ଦେଖାଯାଏ ।
ଏହି ନୃତ୍ୟ କୃଷିଭିତ୍ତିକ ସଭ୍ୟତାର ଏକ ମୁଖ୍ୟ ପର୍ବ ଏବଂ ଚୈତ୍ର ମାସର ଶେଷଭାଗରେ ଏକ ମୁକ୍ତ ରଙ୍ଗମଞ୍ଚରେ ପରିବେଷିତ ହୁଏ । ଏଥିରେ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଭାଗ ନିଅନ୍ତି, ଯାହା ସାମାଜିକ ଐକ୍ୟବୋଧ ସୃଷ୍ଟି କରେ । ପ୍ରଥମେ ଇଷ୍ଟ ଦେବଦେବୀଙ୍କ ପୂଜା ପରେ ନଟ-ନଟୀ ମଞ୍ଚକୁ ଆସି ନାଟକ ସମ୍ପର୍କରେ ସୂଚନା ଦିଅନ୍ତି । ତା’ପରେ ଧୁମ୍ସା, ନାଗରା, ଚଡ଼ଚଡ଼ି, ଢୋଲ ଓ ମହୁରୀ ଭଳି ବାଦ୍ୟର ତାଳେତାଳେ ପୌରାଣିକ କଥାବସ୍ତୁ, ପଶୁପକ୍ଷୀଙ୍କ ଗତିବିଧି, ଯୁଦ୍ଧ ଏବଂ ଶିକାରର ଦୃଶ୍ୟ ଜୀବନ୍ତ ଭାବେ ଅଭିନୀତ ହୋଇଥାଏ । ଛଉ ମୁଖ୍ୟତଃ ଏକ ମୂକାଭିନୟ ଅଟେ । ଏଥିରେ ନର୍ତ୍ତକମାନେ କୌଣସି ସଂଳାପ ନ କହି କେବଳ ନେପଥ୍ୟ ଗୀତର ତାଳେତାଳେ ହାତରେ ଢାଲ ଓ ତରବାରି ଧରି ନିଖୁଣ ଅଙ୍ଗଭଙ୍ଗୀ ପ୍ରଦର୍ଶନ କରନ୍ତି ।
ଛଉନାଚର ପ୍ରସ୍ତୁତି ଅତ୍ୟନ୍ତ କଷ୍ଟସାଧ୍ୟ ହୋଇଥାଏ । ଦଶହରା ପବିତ୍ର ଦିନଠାରୁ ଗୁରୁ ବା ଓସ୍ତାତ ଶିଳ୍ପୀମାନଙ୍କ ହାତରେ ‘ନାଡ଼ାବନ୍ଧା’ କରି ଲାଲ୍କନା ବାନ୍ଧିବା ସହ ନୃତ୍ୟ ଶିକ୍ଷା ଆରମ୍ଭ କରନ୍ତି । କଳାକାରମାନେ କଠିନ କସରତ କରି ଚୌକବନ୍ଧା, ଧରଣ ଓ ଟବ୍କା ଭଳି ବିଭିନ୍ନ ପର୍ଯ୍ୟାୟ ଆୟତ୍ତ କରନ୍ତି । ଏହାସହ ଦୈନନ୍ଦିନ ଜୀବନର କାର୍ଯ୍ୟ ଯଥା ହଳଦୀବଟା, ଗାଧୁଆ, ବାସନମଜା ଆଦିକୁ ନେଇ ପ୍ରାୟ ଛତିଶଟି ‘ଉଫିଲ୍’ ବା ଉପଲୟ ଶିକ୍ଷା ଦିଆଯାଏ ।
ଆଜି ଛଉନୃତ୍ୟ ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ମର୍ଯ୍ୟାଦା ଲାଭ କରି ଓଡ଼ିଶାର ଗୌରବକୁ ବୃଦ୍ଧି କରିଛି । ବିଦ୍ୟାଳୟର ସେହି ଚାରିଜଣ ସାଙ୍ଗ ନିଜ ଗାଁର ଓସ୍ତାତଙ୍କଠାରୁ ନିଷ୍ଠାର ସହ ଏହି ନୃତ୍ୟ ଶିଖି ବାର୍ଷିକ ଉତ୍ସବରେ ଏପରି ସୁନ୍ଦର ଭାବେ ପରିବେଷଣ କରିଥିଲେ ଯେ ଉପସ୍ଥିତ ସମସ୍ତ ଶିକ୍ଷକ, ଅଭିଭାବକ ଓ ଦର୍ଶକ ମନ୍ତ୍ରମୁଗ୍ଧ ହୋଇଯାଇଥିଲେ ।