ଆମ ଚାରିପାଖର ସୁନ୍ଦର ପରିବେଶ ଓ ବିଶ୍ୱର ଅସରନ୍ତି ରହସ୍ୟକୁ ବୁଝିବା ପାଇଁ ବିଜ୍ଞାନ ହେଉଛି ଏକ ପ୍ରମୁଖ ମାଧ୍ୟମ। ରାତି ଆକାଶରେ ତାରା କାହିଁକି ଚକମକ୍ କରେ, ଫୁଲ କେତେବେଳେ ଫୁଟିବ ବୋଲି କିପରି ଜାଣେ, ଛୋଟ ମଞ୍ଜିରୁ ବିରାଟ ଗଛ କିପରି ହୁଏ କିମ୍ବା ବର୍ଷା କାହିଁକି ଓ କିପରି ହୁଏ—ଏହିପରି ଅନେକ କଥା ଜାଣିବା ପାଇଁ ପିଲାଦିନରୁ ଆମ ମନରେ କୌତୂହଳ ସୃଷ୍ଟି ହୋଇଥାଏ। ଏହି କୌତୂହଳ ଓ ଜିଜ୍ଞାସା ହିଁ ଆମକୁ ନୂଆ ନୂଆ ତଥ୍ୟ ଶିଖିବାରେ ସାହାଯ୍ୟ କରେ। ଆମ ଗ୍ରହ ପୃଥିବୀରେ ଥିବା ବିଭିନ୍ନ ଜୀବଜନ୍ତୁ, ଗଛଲତା, ଖାଦ୍ୟ, ଜଳ, ଉତ୍ତାପ ଏବଂ ଚାରିପାଖରେ ଥିବା ନାନା ପ୍ରକାର ବସ୍ତୁ ବିଷୟରେ ଅନୁସନ୍ଧାନ କରିବା ବିଜ୍ଞାନର ମୂଳ ଉଦ୍ଦେଶ୍ୟ ଅଟେ।
କୌଣସି ସମସ୍ୟାର ସମାଧାନ କରିବା କିମ୍ବା କୌଣସି ଘଟଣାର କାରଣ ଖୋଜିବା ପାଇଁ ଏକ ନିର୍ଦ୍ଦିଷ୍ଟ କ୍ରମରେ କାର୍ଯ୍ୟ କରିବାକୁ ବୈଜ୍ଞାନିକ ପଦ୍ଧତି କୁହାଯାଏ। ଏହି ପଦ୍ଧତି କେବଳ ବଡ଼ ବଡ଼ ବୈଜ୍ଞାନିକମାନଙ୍କ ପାଇଁ ନୁହେଁ, ବରଂ ଆମ ଦୈନନ୍ଦିନ ଜୀବନରେ ମଧ୍ୟ ସବୁବେଳେ ବ୍ୟବହାର ହୋଇଥାଏ। ଉଦାହରଣ ସ୍ୱରୂପ, ହଠାତ୍ କଲମ ଲେଖିବା ବନ୍ଦ କରିଦେଲେ ଆମେ ପ୍ରଥମେ କାଳି ସରିଯାଇଛି କି ନାହିଁ ଦେଖୁ, କାଳି ଥାଇ ମଧ୍ୟ ନ ଚାଲିଲେ ତାହା ଶୁଖିଯାଇଛି କି ବୋଲି ଯାଞ୍ଚ କରୁ। ସେହିପରି ରୋଷେଇ ଘରେ କୁକରରୁ ଡାଲି କାହିଁକି ଉତୁରି ପଡ଼ିଲା, ସାଇକେଲ ଟାୟାର୍ରୁ କେଉଁଠି ପବନ ଲିକ୍ ହେଲା କିମ୍ବା ବିଦ୍ୟୁତ୍ ବଲ୍ବ କାହିଁକି ଜଳୁନାହିଁ ତାହା ଖୋଜିବା ମଧ୍ୟ ଏହି ବୈଜ୍ଞାନିକ ପଦ୍ଧତିର ଉଦାହରଣ ଅଟେ। ଏହି ପଦ୍ଧତିରେ ପ୍ରଥମେ କୌଣସି ବିଷୟକୁ ଭଲ ଭାବରେ ପର୍ଯ୍ୟବେକ୍ଷଣ କରାଯାଏ, ତା’ପରେ ସମ୍ଭାବ୍ୟ ଉତ୍ତର ଅନୁମାନ କରି ପରୀକ୍ଷଣ ଦ୍ୱାରା ତାହା ଯାଞ୍ଚ କରାଯାଏ ଏବଂ ଶେଷରେ ଫଳାଫଳର ବିଶ୍ଳେଷଣ କରି ସଠିକ୍ କାରଣ ଜଣାପଡ଼େ।
ବିଜ୍ଞାନ କେବଳ ପୁସ୍ତକର ବିଷୟବସ୍ତୁ କିମ୍ବା ତଥ୍ୟକୁ ମନେ ରଖିବା ନୁହେଁ, ବରଂ ଚାରିପାଖର ପରିବେଶକୁ ଅନୁଧ୍ୟାନ କରି ନୂଆ ଜ୍ଞାନ ହାସଲ କରିବାର ଏକ ରୋମାଞ୍ଚକର ଯାତ୍ରା। ଜଣେ ଜ୍ଞାନୀ ବ୍ୟକ୍ତି ହେବା ପାଇଁ ନିଜ ମନରେ ସବୁବେଳେ ଅନୁସନ୍ଧିତ୍ସୁ ଭାବନା ଜାଗ୍ରତ ରଖିବା ଏବଂ ଅଧିକରୁ ଅଧିକ ‘କାହିଁକି’ ଓ ‘କିପରି’ ପ୍ରଶ୍ନ ପଚାରିବା ଅତ୍ୟନ୍ତ ଆବଶ୍ୟକ। ବିଜ୍ଞାନ କ୍ଷେତ୍ରରେ କାର୍ଯ୍ୟ ସାଧାରଣତଃ ଏକାକୀ ନ ହୋଇ ଦଳଗତ ଭାବରେ କରାଗଲେ ଅଧିକ ସହଜ ଓ ଆନନ୍ଦଦାୟକ ହୋଇଥାଏ। ତେଣୁ ସାଙ୍ଗସାଥୀଙ୍କ ସହିତ ମିଳିମିଶି ପ୍ରଶ୍ନ ପଚାରିବା, ନୂତନ ଅନୁସନ୍ଧାନ ଜାରି ରଖିବା ଏବଂ ପରୀକ୍ଷା ନିରୀକ୍ଷା କରି ବୁଝିବା ଦ୍ୱାରା ହିଁ ଆମର ବୈଜ୍ଞାନିକ ଦୃଷ୍ଟିକୋଣ ବିକଶିତ ହୋଇଥାଏ।