ଗୁରୁ କେଳୁଚରଣ ମହାପାତ୍ର ପୁରୀ ନିକଟସ୍ଥ ରଘୁରାଜପୁର ଗ୍ରାମର ଏକ ପାରମ୍ପରିକ ଚିତ୍ରକର ପରିବାରରେ ଜନ୍ମଗ୍ରହଣ କରିଥିଲେ ।
ସେ ବାଲ୍ୟକାଳରେ ଗୋଟିପୁଅ ଓ ରାସଦଳରେ ଅଭିନୟ କରିବା ପରେ ଓଡ଼ିଶା ଥିଏଟର୍ସ ଏବଂ ଅନ୍ନପୂର୍ଣ୍ଣା ଥିଏଟର୍ସରେ ଯୋଗ ଦେଇଥିଲେ ।
କଟକ କଳା ବିକାଶ କେନ୍ଦ୍ରରେ ସେ ଦୀର୍ଘ ବର୍ଷ ଧରି ଓଡ଼ିଶୀ ନୃତ୍ୟ ବିଭାଗର ମୁଖ୍ୟ ଭାବରେ କାର୍ଯ୍ୟଭାର ତୁଲାଇଥିଲେ ।
ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟର ପ୍ରଚାର ଓ ପ୍ରସାର ପାଇଁ ‘ସୃଜନ’ ନାମକ ଏକ ସ୍ୱତନ୍ତ୍ର ଅନୁଷ୍ଠାନ ଗଠନ କରିଥିଲେ ।
ସେ ବିଭିନ୍ନ ରାଗରେ ପଲ୍ଲବୀ ଓ ଗୀତଗୋବିନ୍ଦର ଅଷ୍ଟପଦୀରେ ନୃତ୍ୟ ସଂରଚନା କରିବା ସହିତ ଜଣେ ସୁଦକ୍ଷ ମର୍ଦ୍ଦଳ ବାଦକ ଥିଲେ ।
ସଂଯୁକ୍ତା ପାଣିଗ୍ରାହୀ, କୁଙ୍କୁମ ମହାନ୍ତି ଏବଂ ଗୁରୁ ଗଙ୍ଗାଧର ପ୍ରଧାନ ପ୍ରମୁଖ ତାଙ୍କର ସୁନାମଧନ୍ୟ ଶିଷ୍ୟ ଥିଲେ ।
ନୃତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେ କେନ୍ଦ୍ର ସରକାରଙ୍କ ଦ୍ୱାରା ପଦ୍ମଶ୍ରୀ, ପଦ୍ମଭୂଷଣ ଓ ପଦ୍ମବିଭୂଷଣ ଉପାଧିରେ ଭୂଷିତ ହୋଇଥିଲେ ।
ସେ କେନ୍ଦ୍ର ସଙ୍ଗୀତ ଏକାଡେମୀ ପୁରସ୍କାର ତଥା ମଧ୍ୟପ୍ରଦେଶ ସରକାରଙ୍କ ଦ୍ୱାରା ‘କବି କାଳିଦାସ ସମ୍ମାନ’ ମଧ୍ୟ ଲାଭ କରିଥିଲେ ।
ଗୁରୁ ଶ୍ରୀହରି ନାୟକ ମୟୂରଭଞ୍ଜ ଛଉ ନୃତ୍ୟ ଶୈଳୀର ଜଣେ ବିଶିଷ୍ଟ ସୂତ୍ରଧାର ଓ ପ୍ରତିଭାବାନ ନୃତ୍ୟଶିଳ୍ପୀ ଥିଲେ ।
ସେ ଦରବାରୀ ସମୟରେ ଉତ୍ତର ସାହି ଛଉ ନୃତ୍ୟ ପ୍ରତିଷ୍ଠାନର ସର୍ବକନିଷ୍ଠ ନୃତ୍ୟଶିଳ୍ପୀ ଭାବେ ନିଜର ନୃତ୍ୟ ଜୀବନ ଆରମ୍ଭ କରିଥିଲେ ।
ଗୁରୁ କାହ୍ନୁ ବାବୁ, ପଦ୍ମଚରଣ ଭଞ୍ଜ ଏବଂ ଅନ୍ତ ଚରଣ ସାଉଙ୍କ ଭଳି ଗୁରୁମାନଙ୍କଠାରୁ ସେ ଛଉ ନୃତ୍ୟ ଶିକ୍ଷା କରିଥିଲେ ।
ସେ ଏକକ ନୃତ୍ୟରେ ନଟରାଜ ଓ ମହାଦେବ ଏବଂ ଦଳଗତ ନୃତ୍ୟରେ କୈଳାସ-ଲୀଳା ଓ ମହିଷାମର୍ଦ୍ଦିନୀ ଭଳି ଚରିତ୍ରରେ ନୃତ୍ୟ ପରିବେଷଣ କରୁଥିଲେ ।
ସେ ପ୍ରାୟ କୋଡ଼ିଏ ବର୍ଷ ପୋଲିସ ବିଭାଗରେ ଏବଂ ପରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛଉ ବିଭାଗୀୟ ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ ।
ଛଉ ନୃତ୍ୟ ସାଧନା ପାଇଁ ସେ ଓଡ଼ିଶା ତଥା କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ପୁରସ୍କୃତ ହୋଇଥିଲେ ।
ଗୁରୁ ଭବାନି ଚରଣ ବିଶ୍ୱାଳ ଓ ସଦାଶିବ ପ୍ରଧାନଙ୍କ ଭଳି ବହୁ ବିଶିଷ୍ଟ ନୃତ୍ୟଗୁରୁ ତାଙ୍କର ଶିଷ୍ୟ ଥିଲେ ।