ପ୍ରକୃତିରେ ଆମେ ଚାରିଆଡ଼େ ବିଭିନ୍ନ ପ୍ରକାରର ସୁନ୍ଦର ରଙ୍ଗ ଦେଖିବାକୁ ପାଉ । ଆକାଶରେ ଦେଖାଯାଉଥିବା ଇନ୍ଦ୍ରଧନୁ ମଣିଷ ଆଖି ଦେଖିପାରୁଥିବା ସମସ୍ତ ରଙ୍ଗକୁ ପ୍ରଦର୍ଶନ କରିଥାଏ । ଆଲୋକ ଯୋଗୁଁ ହିଁ ଆମେ ରଙ୍ଗଗୁଡ଼ିକୁ ଚିହ୍ନିପାରୁ ଏବଂ ଆଲୋକର ପରିବର୍ତ୍ତନ ହେଲେ ରଙ୍ଗର ରୂପ ତଥା ଉଜ୍ଜ୍ୱଳତାରେ ମଧ୍ୟ ପରିବର୍ତ୍ତନ ଘଟିଥାଏ । ଦୃଶ୍ୟ କଳାରେ ଆଲୋକ ଓ ଛାଇର ପ୍ରଭାବ ଦେଖାଇବା ପାଇଁ ରଙ୍ଗର ଟିଣ୍ଟ (ପତଳା ଆସ୍ତରଣ), ଛାୟାସ୍ତର ଏବଂ ଟୋନ୍ (ଗାଢ଼ତ୍ୱ) ବ୍ୟବହାର କରାଯାଏ । ସମସ୍ତ ଲୋକ ରଙ୍ଗକୁ ସମାନ ଭାବରେ ଦେଖିପାରନ୍ତି ନାହିଁ । ରଙ୍ଗ ଚିହ୍ନଟ କରିବାରେ ଥିବା ଏହି ଅକ୍ଷମତାକୁ ସାଧାରଣତଃ ରଙ୍ଗ ଅନ୍ଧତ୍ୱ କୁହାଯାଏ । ତଥାପି ଅନେକ ପ୍ରତିଭାବାନ ଶିଳ୍ପୀ ଏହି ଦୁର୍ବଳତା ସତ୍ତ୍ୱେ ନିଜ ସୃଜନଶୀଳତା ବଳରେ କଳା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିପାରିଛନ୍ତି ।
ରଙ୍ଗର ସଠିକ୍ ବ୍ୟବହାର ଜାଣିବା ପାଇଁ ରଙ୍ଗ ଚକ ଏକ ମୁଖ୍ୟ ମାଧ୍ୟମ ଅଟେ । ହଳଦିଆ, ଲାଲ୍ ଏବଂ ନୀଳ—ଏହି ତିନୋଟିକୁ ପ୍ରାଥମିକ ରଙ୍ଗ କୁହାଯାଏ, କାରଣ ଏଗୁଡ଼ିକୁ ଅନ୍ୟ କୌଣସି ରଙ୍ଗ ମିଶାଇ ପ୍ରସ୍ତୁତ କରାଯାଇପାରିବ ନାହିଁ । ଦୁଇଟି ପ୍ରାଥମିକ ରଙ୍ଗ ମିଶାଇଲେ ଦ୍ୱିତୀୟକ ରଙ୍ଗ, ଯେପରିକି କମଳା, ବାଇଗଣୀ ଓ ସବୁଜ ରଙ୍ଗ ସୃଷ୍ଟି ହୁଏ । ସେହିପରି ଗୋଟିଏ ପ୍ରାଥମିକ ରଙ୍ଗ ସହିତ ଗୋଟିଏ ଦ୍ୱିତୀୟକ ରଙ୍ଗ ମିଶାଇଲେ ତୃତୀୟକ ରଙ୍ଗ ପ୍ରସ୍ତୁତ ହୁଏ । ରଙ୍ଗ ସହିତ ଧଳା କିମ୍ବା କଳା ମିଶାଇ ବିଭିନ୍ନ ଛାୟାସ୍ତର ଏବଂ ଧୂସର ରଙ୍ଗ ମିଶାଇ ଟୋନ୍ ତିଆରି କରାଯାଏ । ପ୍ରକୃତିର ଗଛଲତା, ଫଳ ଓ ଫୁଲକୁ ଭଲ ଭାବରେ ନିରୀକ୍ଷଣ କରି ଚିତ୍ରାଙ୍କନ କରିବା ଦ୍ୱାରା ରଙ୍ଗର ବିଭିନ୍ନ ସ୍ତରକୁ ସହଜରେ ବୁଝିହୁଏ ।
ଭାରତରେ ପ୍ରାଚୀନ କାଳରୁ ଚିତ୍ରକଳାର ଏକ ଧାରାବାହିକ ପରମ୍ପରା ରହିଆସିଛି । ପ୍ରଥମେ ତାଳପତ୍ରରେ ଏବଂ ପରବର୍ତ୍ତୀ ସମୟରେ ଦ୍ୱାଦଶ ଶତାବ୍ଦୀରୁ କାଗଜ ଉପରେ ଛୋଟ ଆକାରର ଲଘୁଚିତ୍ର ବା ମିନିଏଚର ଚିତ୍ର କରାଯାଉଥିଲା । ଏଥିରେ ଧାର୍ମିକ ଗ୍ରନ୍ଥ, ପୌରାଣିକ କାହାଣୀ, ପ୍ରକୃତି ଏବଂ ରାଜଦରବାରର ଜୀବନଶୈଳୀ ସ୍ଥାନ ପାଉଥିଲା । ସେତେବେଳେ କଳାକାରମାନେ ମାଟି, ଖଣିଜ ପଦାର୍ଥ ଓ ଉଦ୍ଭିଦରୁ ପ୍ରାକୃତିକ ରଙ୍ଗ ଯଥା—ହିଙ୍ଗୁଳା, ଗେରୁ, ହରିତାଳ ଓ ଅଙ୍ଗାର ଆଦି ବ୍ୟବହାର କରୁଥିଲେ । ରଙ୍ଗକୁ ସ୍ଥାୟୀ ଭାବରେ ବାନ୍ଧି ରଖିବା ପାଇଁ ବବୁଲ ଗଛର ଅଠା ଏବଂ ଚିତ୍ରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ସୁନାପାତି ବା ରୂପାପାତି ବ୍ୟବହାର ହେଉଥିଲା । ଶିଳ୍ପୀମାନେ ଓଟ, ଛେଳି କିମ୍ବା ନେଉଳ ଲାଞ୍ଜର କେଶରୁ ସୂକ୍ଷ୍ମ ତୂଳୀ ନିର୍ମାଣ କରୁଥିଲେ । କଳା ସୃଷ୍ଟି ସହିତ ତୂଳୀ, ପ୍ୟାଲେଟ୍ ଓ ଅନ୍ୟାନ୍ୟ ଉପକରଣଗୁଡ଼ିକୁ ସଫା ରଖିବା ଏବଂ ଯତ୍ନର ସହିତ ସଜାଡ଼ି ରଖିବା ଏକ ଉତ୍ତମ ଅଭ୍ୟାସ ଅଟେ ।