କୌଣସି ଶବ୍ଦ ବା ସଂଳାପ ବ୍ୟବହାର ନକରି କେବଳ ଶରୀରର ଅଙ୍ଗଭଙ୍ଗୀ, ହାତର ମୁଦ୍ରା ଏବଂ ମୁହଁର ଭାବ ମାଧ୍ୟମରେ ମନର କଥା ପ୍ରକାଶ କରିବାକୁ ମୁକାଭିନୟ କୁହାଯାଏ । ଏହି ଅଭିନୟ କରୁଥିବା କଳାକାରଙ୍କୁ ମୁକାଭିନେତା କୁହାଯାଏ । ପ୍ରସିଦ୍ଧ ଫରାସୀ କଳାକାର ମାରସେଲ ମାରସିଅରଙ୍କ ମତରେ, ଏହା ହେଉଛି ନୀରବତାର ଏକ ସାର୍ବଜନୀନ ଭାଷା, ଯାହା ଅଦୃଶ୍ୟ ବସ୍ତୁକୁ ମଧ୍ୟ ଦର୍ଶକଙ୍କ ଆଗରେ ଜୀବନ୍ତ କରିଦିଏ । ଏକାଧିକ କଳାକାର ମିଶି ସଙ୍ଗୀତ ସହିତ ଏହାକୁ ହାସ୍ୟରସ ମାଧ୍ୟମରେ ପରିବେଷଣ କଲେ ତାହାକୁ ଦଳଗତ ମୁକାଭିନୟ ବା ପେଣ୍ଟୋମାଇମ୍ କୁହାଯାଏ ।
ମୁକାଭିନୟରେ ମୁଖ୍ୟତଃ କୌଣସି ପ୍ରକୃତ ମଞ୍ଚୋପକରଣ ବ୍ୟବହାର କରାଯାଏ ନାହିଁ । ତେଣୁ କଳାକାରଙ୍କୁ କାଳ୍ପନିକ ବସ୍ତୁର ଆକାର, ଆୟତନ ଏବଂ ଓଜନକୁ ନିଜ ଅଭିନୟ ମାଧ୍ୟମରେ ସ୍ପଷ୍ଟ ଭାବରେ ଦର୍ଶାଇବାକୁ ପଡ଼ିଥାଏ । ଏହାର ପ୍ରଥମ ନିୟମ ହେଉଛି— ନିଜେ ବସ୍ତୁ ନହୋଇ ବସ୍ତୁକୁ ବ୍ୟବହାର କରିବାର ଅଭିନୟ କରିବା । ଉଦାହରଣ ସ୍ୱରୂପ, ଆଙ୍ଗୁଠିକୁ କଇଁଚି ନକରି ହାତରେ କଇଁଚି ଧରି ଚଳାଇବା ଭଳି ପ୍ରଦର୍ଶନ କରିବା ଉଚିତ । ସେହିପରି ଗୋଟିଏ ଭାରୀ ବାକ୍ସ କିମ୍ବା ଖାଲି ବାକ୍ସ ଧରିବା ସମୟରେ ହାତ ଓ ଶରୀରର ଭଙ୍ଗୀରେ ସେହି ଅନୁସାରେ ପରିବର୍ତ୍ତନ ଆଣିବା ଆବଶ୍ୟକ ।
ଏହି କଳାର ସଫଳ ପରିବେଷଣ ପାଇଁ ତିନୋଟି ପ୍ରମୁଖ ସ୍ତମ୍ଭ ରହିଛି— ପରିକଳ୍ପନା, ଅତିରଞ୍ଜିତ ଅଭିନୟ ଏବଂ ବେଶପୋଷାକ ତଥା ରୂପସଜ୍ଜା । ଶାରୀରିକ ଭାଷା ଓ ମୁଖ ଅଭିବ୍ୟକ୍ତି ସହିତ ଅଭିନେତାଙ୍କ ଭିତରେ ତୀବ୍ରତା ବା ଉର୍ଜ୍ଜା ରହିବା ଏକାନ୍ତ ଜରୁରୀ । କଥାବାର୍ତ୍ତା ନଥିବାରୁ ଏଥିରେ ପ୍ରତ୍ୟେକ ଭାବଭଙ୍ଗୀକୁ ସାଧାରଣ ଜୀବନଠାରୁ ଟିକିଏ ବଢ଼େଇ ବା ଅତିରଞ୍ଜିତ କରି ଦେଖାଯାଏ, ଯାହାଫଳରେ ଦର୍ଶକମାନେ ତାହାକୁ ସହଜରେ ବୁଝିପାରନ୍ତି । ମୁକାଭିନୟରେ ପ୍ରାୟତଃ କଳା ଓ ଧଳା ରଙ୍ଗର ପୋଷାକ, ହାତମୋଜା ଏବଂ ମୁହଁରେ ଧଳା ରଙ୍ଗର ପ୍ରଲେପ ଦିଆଯାଏ । ଏହାଦ୍ୱାରା ମୁହଁର ବିଭିନ୍ନ ଭାବ ଓ ପ୍ରତିକ୍ରିୟା ଦର୍ଶକଙ୍କୁ ବେଶ୍ ସ୍ପଷ୍ଟ ଦିଶିଥାଏ ।
ମୁକାଭିନୟ ଭାଷାର ସୀମାକୁ ଅତିକ୍ରମ କରି ପୃଥିବୀର ଯେକୌଣସି ପ୍ରାନ୍ତର ଲୋକଙ୍କ ନିକଟରେ ସହଜରେ ପହଞ୍ଚିପାରେ । ଏହାର ଭାବ ଓ ରସ ସାର୍ବଜନୀନ ହୋଇଥିବାରୁ ଏହା ମାଧ୍ୟମରେ ସମାଜର କାହାଣୀ, ସମାନତା ଏବଂ ଲିଙ୍ଗଗତ ପ୍ରଭେଦ ଦୂର କରିବାର ବାର୍ତ୍ତା ସୁନ୍ଦର ଭାବେ ଦିଆଯାଇପାରେ । ଏହା କେବଳ ଦର୍ଶକଙ୍କୁ ଆନନ୍ଦ ଦିଏ ନାହିଁ, ବରଂ ମଣିଷକୁ ତାର ମାନସିକ ଚାପ ଓ ବିଷାଦରୁ ମୁକ୍ତ କରି ମନଖୋଲି ନିଜର ଭାବ ପ୍ରକାଶ କରିବାକୁ ସାହାଯ୍ୟ କରେ । ନିୟମିତ ଅଭ୍ୟାସ ଏବଂ ଯନ୍ତ୍ରସଙ୍ଗୀତର ସଠିକ୍ ପ୍ରୟୋଗ ଦ୍ୱାରା ଏହି ଅଭିନୟକୁ ଅଧିକ ପ୍ରଭାବଶାଳୀ ଓ ଆକର୍ଷଣୀୟ କରାଯାଇପାରେ ।