ଭାରତବର୍ଷରେ କାହାଣୀ କହିବା ଏକ ଅତି ପ୍ରାଚୀନ ତଥା ସମୃଦ୍ଧ ପରମ୍ପରା । ପ୍ରାଚୀନ କାଳରୁ ମଣିଷ ନିଜର ଆନନ୍ଦ ଓ ଜୀବନର ମୂଲ୍ୟବୋଧ ବାଣ୍ଟିବା ପାଇଁ ଗପ କହି ଆସୁଛି । କାହାଣୀ କହିବାର ଏହି ଶୈଳୀକୁ ଅଧିକ ଆକର୍ଷଣୀୟ ଏବଂ ଜୀବନ୍ତ କରିବା ପାଇଁ ପରବର୍ତ୍ତୀ ସମୟରେ ଏଥିରେ ଚିତ୍ର, ସଙ୍ଗୀତ, ନୃତ୍ୟ ଓ କଣ୍ଢେଇ ନାଟ ଆଦି ଉପାଦାନ ଯୋଡ଼ା ଯାଇଥିଲା । ଏହି ମୌଖିକ ପରମ୍ପରା ଯୋଗୁଁ ରାମାୟଣ, ମହାଭାରତ ଓ ବିଭିନ୍ନ ପୁରାଣର ନୀତିଶିକ୍ଷା ପିଢ଼ି ପରେ ପିଢ଼ି ଲୋକମାନଙ୍କ ମନରେ ସାଇତା ହୋଇ ରହିଆସିଛି ।
ଆମ ଓଡ଼ିଶାରେ କଥାଧର୍ମୀ ଲୋକନାଟକ ପରମ୍ପରା ଅତ୍ୟନ୍ତ ଉଚ୍ଚକୋଟୀର । ଏଠାରେ ‘ପାଲା’ ମାଧ୍ୟମରେ ପ୍ରଭୁ ସତ୍ୟନାରାୟଣଙ୍କ ଉପାଖ୍ୟାନ ଓ ପୌରାଣିକ କଥାବସ୍ତୁକୁ ଗାୟକ, ବାୟକ ଏବଂ ପାଳିଆମାନେ ନୃତ୍ୟ, ଗୀତ ଓ ଅଭିନୟ ସହ ଗାଁ ଗାଁରେ ପରିବେଷଣ କରନ୍ତି । ସେହିପରି ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ‘ଦାସକାଠିଆ’ରେ ମୁଖ୍ୟ କଳାକାର ଗାୟକ ଏବଂ ତାଙ୍କ ସହଯୋଗୀ ପାଳିଆ କାଠି ବଜାଇ ସ୍ୱତନ୍ତ୍ର ଶୈଳୀରେ କାହାଣୀ ବର୍ଣ୍ଣନା କରନ୍ତି । ଆମ ରାଜ୍ୟର ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, କଟକ ଆଦି ଅଞ୍ଚଳରେ ‘କଣ୍ଢେଇ ନାଟ’ ବେଶ୍ ଆଦୃତ । ଏଥିରେ ସୂତା କଣ୍ଢେଇ, ହାତ କଣ୍ଢେଇ, ବାଡ଼ି କଣ୍ଢେଇ ଏବଂ ଛାୟା କଣ୍ଢେଇ ମାଧ୍ୟମରେ ଶିକ୍ଷଣୀୟ ବିଷୟଗୁଡ଼ିକ ପ୍ରଦର୍ଶନ କରାଯାଏ ।
ଭାରତର ଅନ୍ୟ ପ୍ରାନ୍ତରେ ମଧ୍ୟ କାହାଣୀ କହିବାର ବିବିଧ ରୂପ ଦେଖାଯାଏ । ଦକ୍ଷିଣ ଭାରତରେ ପ୍ରଭୁ ଶ୍ରୀହରିଙ୍କ ଲୀଳାକୁ ନେଇ କଳାକାରମାନେ ‘ହରିକଥା’ ପରିବେଷଣ କରିଥାନ୍ତି, ଯେଉଁଥିରେ ଗୁରୁରାଜୁଲୁ ନାଇଡୁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଅନ୍ୟପକ୍ଷରେ, ରାଜସ୍ଥାନର ପ୍ରାୟ ଚାରିଶହ ବର୍ଷ ପୁରୁଣା ‘କାଉଡ଼ କଥା’ ପରମ୍ପରାରେ ଏକ ସୁସଜ୍ଜିତ କାଠର ଚିତ୍ରିତ ବାକ୍ସ ସାହାଯ୍ୟରେ ପୁରାଣ କଥା, ପଞ୍ଚତନ୍ତ୍ର ଏବଂ ସାମ୍ପ୍ରତିକ ସାମାଜିକ ସଚେତନତା ମୂଳକ ବାର୍ତ୍ତା ଲୋକଙ୍କୁ ଶୁଣାଯାଏ ।
ଆଜିର ଯୁଗରେ ଟେଲିଭିଜନ ଓ ମୋବାଇଲ ଫୋନର ଅତ୍ୟଧିକ ପ୍ରଭାବ ହେତୁ ଏହି ପ୍ରାଚୀନ ଲୋକକଳା ଧୀରେ ଧୀରେ ହଜିବାକୁ ବସିଛି । ଯୁବପିଢ଼ି ଏଥିପ୍ରତି ଧ୍ୟାନ ନ ଦେଲେ ଏହି ଅମୂଲ୍ୟ ପରମ୍ପରା ଲୋପ ପାଇଯିବ । ମୌଖିକ ଭାବରେ ପ୍ରଚଳିତ ଏହି କାହାଣୀଗୁଡ଼ିକ ଆମ ସଂସ୍କୃତି ଓ ସଂସ୍କାରକୁ ବଞ୍ଚାଇ ରଖିବାରେ ସାହାଯ୍ୟ କରିଥାଏ । ତେଣୁ ବିଦ୍ୟାଳୟ ସ୍ତରରୁ ଏଭଳି ସୃଜନଶୀଳ କାହାଣୀ ବର୍ଣ୍ଣନା ଶୈଳୀ ଶିଖି ଏହି କଳାକୁ ଉଜ୍ଜୀବିତ ରଖିବା ନିତାନ୍ତ ଆବଶ୍ୟକ ।