ଆମ ଭାରତବର୍ଷ ଏକ ବିବିଧତାର ଦେଶ । ଏଠାରେ ପ୍ରତ୍ୟେକ ଅଞ୍ଚଳର ଲୋକକଳା ଓ ସଙ୍ଗୀତ ମଧ୍ୟରେ ଅନନ୍ୟ ସାଂସ୍କୃତିକ ଐତିହ୍ୟ ପ୍ରତିଫଳିତ ହୋଇଥାଏ । ‘ଲୋକ’ ଶବ୍ଦର ଅର୍ଥ ହେଉଛି ଜନସାଧାରଣ । ଲୋକସଙ୍ଗୀତ ସାଧାରଣ ମଣିଷର ଜୀବନ, ଦୈନନ୍ଦିନ ଭାବନା, ସୁଖ-ଦୁଃଖ, ପର୍ବପର୍ବାଣୀ, ରୀତିନୀତି, ବୃତ୍ତି ଏବଂ ପ୍ରକୃତି ସହିତ ନିବିଡ଼ ଭାବରେ ଜଡ଼ିତ । ଆସାମର ଲୋକପ୍ରିୟ ପର୍ବ ‘ବୋହାଗ ବିହୁ’ ଅବସରରେ ଗାନ କରାଯାଉଥିବା ବିହୁ ଗୀତ ଏହାର ଏକ ସୁନ୍ଦର ଉଦାହରଣ । ଏହା ସହିତ ସଙ୍ଗୀତରେ ପ୍ରତ୍ୟେକ ବ୍ୟକ୍ତିଙ୍କ କଣ୍ଠସ୍ୱର ସ୍ୱତନ୍ତ୍ର ହୋଇଥାଏ, ଯାହା ଉଷା ଉଥୁପ, ତେଜାନ ବାଈ ଓ କୁମାର ଗନ୍ଧର୍ବଙ୍କ ଭଳି ଅପାରମ୍ପରିକ ଗାୟକ-ଗାୟିକାଙ୍କ କଣ୍ଠରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳେ ।
ସମୟ ସହିତ ସଙ୍ଗୀତ କ୍ଷେତ୍ରରେ ଥିବା ରୂଢ଼ିବାଦୀ ଚିନ୍ତାଧାରାରେ ମଧ୍ୟ ପରିବର୍ତ୍ତନ ଆସିଛି । ଛୋଟ ପିଲାଙ୍କୁ ଶୁଆଇବା ପାଇଁ ଗାଉଥିବା ‘ଲୋରୀ’ କେବଳ ମା’ମାନଙ୍କ ମଧ୍ୟରେ ସୀମିତ ନ ରହି ପରିବାରର ଅନ୍ୟମାନେ ମଧ୍ୟ ଗାଇପାରନ୍ତି । ସେହିପରି ପୁରୁଷ ପ୍ରଧାନ ଥିବା ସୂଫି ‘କବାଲି’ ସଙ୍ଗୀତରେ ରୋଶନାରା ବେଗମ୍ଙ୍କ ଭଳି ମହିଳାମାନେ ନିଜର ଦକ୍ଷତା ପ୍ରମାଣ କରିଛନ୍ତି । ଭାରତୀୟ ଭକ୍ତି ଆନ୍ଦୋଳନରେ ମୀରାବାଇଙ୍କ କୃଷ୍ଣ ଭଜନ ଏବଂ କାଶ୍ମୀରର ସାଧ୍ୱୀ ଲାଲ୍ ଦେଦ୍ଙ୍କ ରହସ୍ୟବାଦୀ ‘ୱଖ’ କବିତା ସଙ୍ଗୀତ ଜଗତରେ ନାରୀମାନଙ୍କ ଗୌରବମୟ ଅବଦାନକୁ ଦର୍ଶାଇଥାଏ ।
ସଙ୍ଗୀତ କେବଳ ମନୋରଞ୍ଜନ ନୁହେଁ, ବରଂ ସମାଜ ସଂସ୍କାରର ଏକ ଶକ୍ତିଶାଳୀ ମାଧ୍ୟମ ଅଟେ । ଆନ୍ଧ୍ରପ୍ରଦେଶର ସନ୍ଥ ଅନ୍ନମାଚାର୍ଯ୍ୟ ନିଜ ସଂକୀର୍ତ୍ତନ ମାଧ୍ୟମରେ ଛୁଆଁଅଛୁଆଁ ଭେଦଭାବ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ । ଓଡ଼ିଶାର ଆଦିକବି ସାରଳା ଦାସ ସଂସ୍କୃତ ବଦଳରେ ସାଧାରଣ ଲୋକଙ୍କ ବୁଝିବା ଭଳି ସରଳ ଓଡ଼ିଆ ଭାଷାରେ ମହାଭାରତ ଓ ବିଭିନ୍ନ ପୁରାଣ ରଚନା କରି ସାହିତ୍ୟର ମୂଳଦୁଆ ପକାଇଥିଲେ । ତାଙ୍କ ପରେ ପରେ ବଳରାମ ଦାସ, ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ, ଯଶୋବନ୍ତ ଓ ଶିଶୁ ଅନନ୍ତଙ୍କୁ ନେଇ ଗଠିତ ‘ପଞ୍ଚସଖା’ କୁସଂସ୍କାର ଓ ଜାତିପ୍ରଥା ବିରୋଧରେ ସମାନତାର ବାର୍ତ୍ତା ଦେଇଥିଲେ । ଯବନ କବି ସାଲବେଗ ଶ୍ରୀଜଗନ୍ନାଥଙ୍କ ଭକ୍ତିରେ ବିଭୋର ହୋଇ ଅନେକ ଜଣାଣ ରଚନା କରିଥିଲେ । ସେହିପରି ସନ୍ଥକବି ଭୀମଭୋଇ ମହିମା ଧର୍ମ ପ୍ରଚାର ସହ ଜଗତର କଲ୍ୟାଣ ପାଇଁ ନିଜ ଜୀବନ ଉତ୍ସର୍ଗ କରିବାର ମହାନ ଆଦର୍ଶ ଦେଖାଇଥିଲେ ।
ଭାରତର ପ୍ରତ୍ୟେକ ପ୍ରାନ୍ତରେ ସଙ୍ଗୀତ ସହିତ ବିଭିନ୍ନ ପ୍ରକାରର ପାରମ୍ପରିକ ବାଦ୍ୟଯନ୍ତ୍ର ବ୍ୟବହାର କରାଯାଏ । ଓଡ଼ିଶାର ଧୁମ୍ସା, ମାଦଳ ଓ ଖଞ୍ଜଣୀଠାରୁ ଆରମ୍ଭ କରି କାଶ୍ମୀରର ନୋଟ୍, ଆସାମର ପେପା, ହିମାଚଳ ପ୍ରଦେଶର ଦମାମାଚୁ ଏବଂ ପଞ୍ଜାବର ଢୋଲକ ଆଦି ବାଦ୍ୟଯନ୍ତ୍ର ଆମ ଦେଶର ଲୋକସଂସ୍କୃତିକୁ ଅଧିକ ସମୃଦ୍ଧ କରିଛି । ଏହିପରି ଭାବରେ ଲୋକସଙ୍ଗୀତ ଆମ ସମାଜରେ ଏକତା, ସଂସ୍କାର ଏବଂ ସାଂସ୍କୃତିକ ଭାବନାକୁ ଉଜ୍ଜୀବିତ ରଖିଥାଏ ।