ପ୍ରାଚୀନ କାଳରେ ଟଙ୍କା ବା ମୁଦ୍ରାର ପ୍ରଚଳନ ନ ଥିବା ବେଳେ ଲୋକମାନେ ନିଜର ଆବଶ୍ୟକତା ପୂରଣ ପାଇଁ ଗୋଟିଏ ସାମଗ୍ରୀ ବଦଳରେ ଅନ୍ୟ ସାମଗ୍ରୀ ନେଉଥିଲେ। ଏହାକୁ ବଦଳ ବ୍ୟବସ୍ଥା ବା ଦ୍ରବ୍ୟ ବିନିମୟ ପ୍ରଥା କୁହାଯାଉଥିଲା। ସେହି ସମୟରେ କଉଡ଼ି, ଲୁଣ, ଧାନ୍ୟ, ବସ୍ତ୍ର ଏବଂ ଗୃହପାଳିତ ପଶୁମାନଙ୍କୁ ବିନିମୟର ମାଧ୍ୟମ ଭାବରେ ବ୍ୟବହାର କରାଯାଉଥିଲା। ମାତ୍ର ଏହି ବ୍ୟବସ୍ଥାରେ ଅନେକ ଅସୁବିଧା ଦେଖାଦେଇଥିଲା। ବିଶେଷ କରି ‘ଚାହିଦାର ଦ୍ୱୈତ ସଂଯୋଗ’ ଅର୍ଥାତ୍ ଉଭୟ ପକ୍ଷଙ୍କ ପାଖରେ ପରସ୍ପର ଆବଶ୍ୟକ କରୁଥିବା ଜିନିଷ ନ ଥିଲେ ବିନିମୟ ସମ୍ଭବ ହେଉନଥିଲା। ଏହା ବ୍ୟତୀତ ଦ୍ରବ୍ୟର ସଠିକ୍ ମୂଲ୍ୟ ନିର୍ଦ୍ଧାରଣ କରିବା, ଜିନିଷକୁ ଛୋଟ ଅଂଶରେ ବିଭାଜନ କରିବା, ଦୂର ସ୍ଥାନକୁ ବୋହି ନେବା ଏବଂ ଶସ୍ୟ ଆଦିକୁ ଦୀର୍ଘ ଦିନ ପର୍ଯ୍ୟନ୍ତ ସାଇତି ରଖିବା କଷ୍ଟକର ହେଉଥିଲା।
ଏହି ସବୁ ସମସ୍ୟାର ସମାଧାନ ପାଇଁ ‘ମୁଦ୍ରା’ର ଉଦ୍ଭବ ହେଲା। ମୁଦ୍ରା କ୍ରୟ-ବିକ୍ରୟକୁ ସହଜ କରିବା ସହିତ ମୂଲ୍ୟର ଏକ ସାଧାରଣ ମାପକ, ମୂଲ୍ୟ ସଞ୍ଚୟର ମାଧ୍ୟମ ଏବଂ ଭବିଷ୍ୟତର ବାକି ଦେୟ ପରିଶୋଧର ସାଧନ ଭାବେ କାର୍ଯ୍ୟ କଲା। ଆରମ୍ଭରେ ସୁନା, ରୂପା ଓ ତମ୍ବା ଭଳି ଧାତୁରେ ତିଆରି ଧାତବ ମୁଦ୍ରା ବ୍ୟବହୃତ ହେଲା, ଯାହାକୁ ‘କାର୍ଷାପଣ’ ବା ‘ପଣ’ କୁହାଯାଉଥିଲା। ରାଜାମାନେ ଏହି ମୁଦ୍ରା ଉପରେ ବିଭିନ୍ନ ପ୍ରତୀକ, ପ୍ରକୃତି କିମ୍ବା ଦେବଦେବୀଙ୍କ ଛବି ଖୋଦେଇ କରୁଥିଲେ। ଏହି ଧାତବ ମୁଦ୍ରା ଯୋଗୁଁ ଦେଶ ଭିତରେ ତଥା ବିଦେଶ ସହିତ ସାମୁଦ୍ରିକ ବାଣିଜ୍ୟ କାରବାର ବିସ୍ତାର ଲାଭ କରିପାରିଥିଲା।
କାଳକ୍ରମେ ଅଧିକ ପରିମାଣର ଧାତବ ମୁଦ୍ରା ନେବା ଆଣିବା କରିବା ଅସୁବିଧାଜନକ ହେବାରୁ କାଗଜ ମୁଦ୍ରା ବା ନୋଟ୍ର ପ୍ରଚଳନ ଆରମ୍ଭ ହେଲା। ଭାରତରେ ଅଷ୍ଟାଦଶ ଶତାବ୍ଦୀରେ ଏହାର ବ୍ୟବହାର ବୃଦ୍ଧି ପାଇଲା ଏବଂ ବର୍ତ୍ତମାନ କେବଳ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦ୍ୱାରା ହିଁ ନୋଟ୍ ଜାରି କରାଯାଉଛି। ୨୦୧୦ ମସିହାରେ ଭାରତୀୟ ଟଙ୍କା ପାଇଁ ‘₹’ ସଙ୍କେତଟି ଗୃହୀତ ହୋଇଥିଲା। ଆଜିକାଲି ବିଜ୍ଞାନ ଓ ପ୍ରଯୁକ୍ତିର ବିକାଶ ଯୋଗୁଁ ମୁଦ୍ରା ବ୍ୟବହାରରେ ଆଉ ଏକ ନୂତନ ପରିବର୍ତ୍ତନ ଘଟିଛି। ଲୋକମାନେ କାଗଜ ନୋଟ୍ ବଦଳରେ ଡେବିଟ୍ କାର୍ଡ଼, କ୍ରେଡିଟ୍ କାର୍ଡ଼, ୟୁପିଆଇ (UPI) ଏବଂ କ୍ୟୁଆର୍ କୋଡ଼୍ (QR Code) ସାହାଯ୍ୟରେ ବ୍ୟାଙ୍କ ଖାତାରୁ ସିଧାସଳଖ ଡିଜିଟାଲ୍ ମୁଦ୍ରାର କାରବାର କରୁଛନ୍ତି। ଏହିପରି ଭାବେ ପ୍ରାଚୀନ ଦ୍ରବ୍ୟ ବିନିମୟ ପ୍ରଥାରୁ ଆରମ୍ଭ ହୋଇଥିବା ମୁଦ୍ରାର ଯାତ୍ରା ଆଜି ଆଧୁନିକ ଡିଜିଟାଲ୍ ସ୍ୱରୂପରେ ପହଞ୍ଚିପାରିଛି।