‘ମାଡ଼ହାଣ୍ଡି କଥା’ ଲୋକଗଳ୍ପଟି ବିଶିଷ୍ଟ ସାହିତ୍ୟିକ ଗୋପାଳଚନ୍ଦ୍ର ପ୍ରହରାଜଙ୍କ ରଚିତ ‘ଉତ୍କଳକାହାଣୀ’ରୁ ସଂଗୃହୀତ ହୋଇଛି ।
ଗୋପାଳଚନ୍ଦ୍ର ପ୍ରହରାଜଙ୍କ ସଂକଳିତ ‘ପୂର୍ଣ୍ଣଚନ୍ଦ୍ର ଭାଷାକୋଷ’କୁ ଓଡ଼ିଆ ଭାଷାର ‘କଳାକୋଣାର୍କ’ ବୋଲି କୁହାଯାଏ ।
ଅତ୍ୟନ୍ତ ଗରିବ ଚକୁଳିଆ ପଣ୍ଡା ପ୍ରତିଦିନ ଭିକ ମାଗି ନିଜର ତଥା ବୃଦ୍ଧା ମାଆର ପେଟ ପୋଷୁଥିଲା ।
ଦିନେ କିଛି ଭିକ ନ ପାଇ ଗାଁ ପିଲାଙ୍କଠାରୁ ଟେକା ମାଡ଼ ଖାଇ ଚକୁଳିଆ ପଣ୍ଡା କାନ୍ଦି କାନ୍ଦି ପଦ୍ମପୋଖରୀ କୂଳକୁ ପଳାଇଲା ।
ପୋଖରୀର ନିର୍ମଳ ପାଣି ପିଇବା ସମୟରେ ପଣ୍ଡା ମନକୁ ବୁଝାଇବା ପାଇଁ ନାନାଦି ସୁସ୍ୱାଦୁ ଖାଦ୍ୟର ନାମ ଉଚ୍ଚାରଣ କରୁଥିଲା ।
ଚକୁଳିଆ ପଣ୍ଡାର ଭୋକବିକଳ ଦେଖି ଦୟାପରବଶ ହୋଇ ଗଙ୍ଗାମାତା ତାକୁ ଏକ ଦିବ୍ୟ ଖାଦ୍ୟଭରା ହାଣ୍ଡି ପ୍ରଦାନ କଲେ ।
ସେହି ଅକ୍ଷୟ ଖାଦ୍ୟହାଣ୍ଡିରୁ ମାଆପୁଅ ପେଟପୂରା ଖାଇବା ପରେ ମଧ୍ୟ ସେଥିରୁ ଖାଦ୍ୟ ସରୁ ନ ଥିଲା ।
ବିନା ପରିଶ୍ରମରେ ପ୍ରତିଦିନ ଖାଦ୍ୟ ପାଇବାରୁ ମାଆ ଓ ପୁଅ ଦୁହେଁ କାମଧନ୍ଦା ଛାଡ଼ି କର୍ମକୋଢ଼ିଆ ପାଲଟିଗଲେ ।
ମାଆପୁଅଙ୍କୁ ଅଳସୁଆମିରୁ ଚେତାଇବା ଉଦ୍ଦେଶ୍ୟରେ ଗଙ୍ଗାମାତା କୂଟ କରି ଏକ ମାଡ଼ଭରା ହାଣ୍ଡି ପାଣିରେ ଭସାଇଦେଲେ ।
ଚକୁଳିଆ ପଣ୍ଡା ହାଣ୍ଡି ଖୋଲି ପ୍ରବଳ ମାଡ଼ ଖାଇବା ପରେ ବୁଦ୍ଧି ଖଟାଇ ତେଲୁଣି ଘୋଡ଼ାଇ ମାଡ଼ ବନ୍ଦ କଲା ।
ପଣ୍ଡା ପ୍ରତିଶୋଧ ନେବା ପାଇଁ ମାଡ଼ହାଣ୍ଡିଟିକୁ ଶିକାରେ ରଖିଦେବାରୁ ତା’ର ବୃଦ୍ଧା ମାଆ ମଧ୍ୟ ମାଡ଼ ଖାଇଲା ।
ବୃଦ୍ଧା ମାଆ ମାଡ଼ହାଣ୍ଡିକୁ ଖତଗଦାରେ ଫିଙ୍ଗିଦେବା ପରେ ଚୋରମାନେ ତାକୁ ଖୋଲି ପ୍ରଚଣ୍ଡ ମାଡ଼ ଖାଇଲେ ।
ମାଡ଼ ଭୟରେ ଚୋରମାନେ ଧନରତ୍ନ ଭରା ସିନ୍ଦୁକ ଛାଡ଼ି ପଳାଇବାରୁ ମାଆପୁଅଙ୍କୁ ଅପାର ଧନସମ୍ପତ୍ତି ମିଳିଗଲା ।
ପରିଶ୍ରମ ନ କଲେ ଜୀବନରେ ଦୁଃଖ ଭୋଗିବାକୁ ପଡ଼େ ବୋଲି ବୁଝିପାରି ମାଆପୁଅ ପ୍ରତିଦିନ ସକାଳେ କାମକୁ ବାହାରିଲେ ।
ବାକ୍ୟରେ କ୍ରିୟାପଦ ସହିତ ଯେଉଁ ପଦର ସମ୍ପର୍କ ଥାଏ, ତାହାକୁ ବ୍ୟାକରଣରେ କାରକ ପଦ କୁହାଯାଏ ।