‘ଜାତୀୟପକ୍ଷୀ’ କବିତାଟି ବିଶିଷ୍ଟ ପ୍ରଗତିଶୀଳ କବି ଅନନ୍ତ ପଟ୍ଟନାୟକଙ୍କ ଶିଶୁ କବିତା ସଂକଳନ ‘ସୂତ୍ରଟିଏ ସୁକୃତିର’ରୁ ଗୃହୀତ ହୋଇଛି । ଏହି କବିତାରେ କବି ଭାରତର ଜାତୀୟପକ୍ଷୀ ମୟୂରର ଅପୂର୍ବ ସୌନ୍ଦର୍ଯ୍ୟ, ମହନୀୟ ଗୁଣ, ପରୋପକାରୀ ମନୋଭାବ ଏବଂ ବୀରତ୍ୱ ସମ୍ପର୍କରେ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି ।
ବର୍ଷାଋତୁ ଆସିଲେ ଆକାଶରେ କଳାହାଣ୍ଡିଆ ମେଘ ଘୋଟିଯାଏ, ବିଜୁଳି ଚମକେ ଏବଂ ଘଡ଼ଘଡ଼ିର ଭୟଙ୍କର ଶବ୍ଦ ଶୁଣାଯାଏ । ସେହି ସମୟରେ କଦମ୍ବ ଫୁଲ ଫୁଟି ବନକୁ ସୁଶୋଭିତ କରେ ଓ ଶୀତଳ ପବନ ବହି ଧରଣୀକୁ ସତେଜ କରିଦିଏ । ଘଡ଼ଘଡ଼ିର ଶବ୍ଦ ଶୁଣି କୋଇଲି, ଶୁଆ ଓ ଶାରୀ ଭଳି ପକ୍ଷୀମାନେ ନୀରବ ହୋଇଯାଉଥିବା ବେଳେ ମୟୂର କିନ୍ତୁ ଆଦୌ ଭୟ କରେ ନାହିଁ । ସେ ତା’ର ସୁନୀଳ ବେକ ଓ ସୁନ୍ଦର ଚୂଳ ହଲାଇ, ମନଲୋଭା ପେଖନ ମେଲାଇ ଷଡ଼ଜ ସ୍ୱରରେ ଗୀତ ଗାଇ ମେଘକୁ ସ୍ୱାଗତ କରେ । ତା’ର ପୁଚ୍ଛର ବିଭିନ୍ନ ରଙ୍ଗ ସତେ ଯେମିତି ହୀରା, ନୀଳା ଓ ମୋତି ଭଳି ଝଟକୁଥାଏ, ଯାହା ପୃଥିବୀର ଅନେକ ସୌନ୍ଦର୍ଯ୍ୟକୁ ପଛରେ ପକାଇଦିଏ ।
ମୟୂର କେବଳ ନିଜ ଖୁସିରେ ନାଚେ ନାହିଁ, ବରଂ ସେ ମେଘକୁ ପ୍ରାର୍ଥନା କରି କହେ ଯେ ସେ ଯେପରି କୃପଣ ନ ହୋଇ ପ୍ରଚୁର ବର୍ଷା ଜଳ ପ୍ରଦାନ କରେ । ଫଳରେ ଗଛଲତାରେ ଫୁଲ ଫୁଟିବ, କ୍ଷେତରେ ସବୁଜ ଶସ୍ୟ ଭରିଯିବ ଏବଂ ସଂସାରର ସମସ୍ତ ପ୍ରାଣୀଙ୍କ ଶୋଷ ଦୂର ହେବ । ମୟୂର ସୁନ୍ଦର ହେବା ସହିତ ଅତ୍ୟନ୍ତ ସାହସୀ ଓ ବୀର ମଧ୍ୟ । ନାଚିବା ବାହାନାରେ ସେ ଚତୁରତାର ସହିତ ବିଷଧର ସାପମାନଙ୍କୁ ବିନାଶ କରେ ଏବଂ ସଂସାରକୁ ରକ୍ଷା କରେ । ତା’ର ଏହି ରାଜକୀୟ ଚାଲିଚଳଣି ସାଧୁ ଲୋକଙ୍କୁ ଆନନ୍ଦ ଦେଉଥିବା ବେଳେ ଦୁଷ୍ଟ ଜୀବମାନଙ୍କ ମନରେ ଭୟ ସୃଷ୍ଟି କରେ ।
ଭାରତର ଗୌରବ, ସାହସ, ଶକ୍ତି, ମୈତ୍ରୀଭାବ, ସଙ୍ଗୀତ, ନୃତ୍ୟ ତଥା କଳାର ଅତୁଳନୀୟ ପ୍ରତୀକ ଭାବରେ ମୟୂର ସବୁଠାରୁ ଶ୍ରେଷ୍ଠ ପକ୍ଷୀ । ତା’ଠାରେ ଏହି ସମସ୍ତ ସଦ୍ଗୁଣ ଏକାଠି ହୋଇ ରହିଥିବାରୁ ତାକୁ ଆମ ଦେଶର ଜାତୀୟପକ୍ଷୀ ଭାବରେ ଗ୍ରହଣ କରାଯାଇଛି ଏବଂ ସେ ଆମ ସମଗ୍ର ଜାତିର ପ୍ରତିଭାର ପ୍ରକୃତ ପରିଚାୟକ ପାଲଟିଛି ।