ମହାନ୍ ବିପ୍ଳବୀ ମାଧୋ ସିଂହ ୧୭୮୬ ମସିହାରେ ଅବିଭକ୍ତ ସମ୍ବଲପୁର ଜିଲ୍ଲାର ଘେଁସ ଗ୍ରାମରେ ଏକ ଜମିଦାର ପରିବାରରେ ଜନ୍ମଗ୍ରହଣ କରିଥିଲେ ।
ଘେଁସ ଗ୍ରାମଟି ବର୍ତ୍ତମାନ ବରଗଡ଼ ଜିଲ୍ଲା ଅନ୍ତର୍ଗତ ପଦ୍ମପୁର ଓ ପାଇକମାଳ ନିକଟରେ ପାହାଡ଼ ଜଙ୍ଗଲ ଘେରା ଅଞ୍ଚଳରେ ଅବସ୍ଥିତ ।
ଦୁର୍ଭିକ୍ଷ ସମୟରେ ପ୍ରଜାମାନଙ୍କୁ ଖାଦ୍ୟଶସ୍ୟ ବାଣ୍ଟିଥିବାରୁ ମାଧୋ ସିଂହଙ୍କ ଜାମାତା ଜମିଦାର ନାରାୟଣ ସିଂହଙ୍କୁ ଇଂରେଜ ସରକାର ଜେଲ୍ ଦଣ୍ଡ ଦେଇଥିଲେ ।
ଇଂରେଜ ସରକାରଙ୍କ ଆଦେଶ ଅମାନ୍ୟ କରି ଖଜଣା ଦାଖଲ ନ କରିବାରୁ ମାଧୋ ସିଂହଙ୍କ ଜମିଦାରି ବାଜ୍ୟାପ୍ତ କରାଯାଇଥିଲା ।
ମାଧୋ ସିଂହ ସମ୍ବଲପୁରର ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ସହିତ ସଂପର୍କ ରଖି ଇଂରେଜ ବିରୋଧୀ ସଂଗ୍ରାମ ପାଇଁ ସଂଗଠିତ ହୋଇଥିଲେ ।
ସ୍ୱାଧୀନତା ସଂଗ୍ରାମ ପାଇଁ ମାଧୋ ସିଂହ ଘେଁସର ‘ବୁଢ଼ା ରାଜଗୁଡ଼ି’ ବରଗଛ ମୂଳ ପଡ଼ିଆରେ ଆଦିବାସୀ ଯୁବକମାନଙ୍କୁ ଯୁଦ୍ଧବିଦ୍ୟା ଶିକ୍ଷା ଦେଇଥିଲେ ।
୧୮୫୭ ମସିହା ଅକ୍ଟୋବର ୭ ତାରିଖରେ ସମ୍ବଲପୁର ବରହମ୍ ମନ୍ଦିର ପ୍ରାଙ୍ଗଣରେ ଏକଜୁଟ ହୋଇ ବିପ୍ଳବୀମାନେ ଇଂରେଜ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲେ ।
ମାଧୋ ସିଂହ ଓ ତାଙ୍କ ପୁଅମାନେ ସମ୍ବଲପୁର-ନାଗପୁର ରାସ୍ତାରେ ଥିବା ନିଶାଘାଟି ଓ ସିଂଘୋଡ଼ା ଘାଟିକୁ ଅବରୋଧ କରି ଇଂରେଜଙ୍କ ଯାତାୟାତ ବନ୍ଦ କରିଦେଇଥିଲେ ।
ବିପ୍ଳବୀ ଯୁବକମାନେ ଘାଟି ଉପରୁ ପଥର ଢେଲା ଫିଙ୍ଗି ଆକ୍ରମଣ କରିବାରୁ ଇଂରେଜ ସୈନ୍ୟମାନେ ଛତ୍ରଭଙ୍ଗ ଦେଇ ପଳାୟନ କରିବାକୁ ବାଧ୍ୟ ହେଉଥିଲେ ।
ମେଜର ଫରେଷ୍ଟରଙ୍କ ନେତୃତ୍ୱରେ ପରାକ୍ରମୀ ଇଂରେଜ ସୈନ୍ୟମାନେ ଜନଶୂନ୍ୟ ଘେଁସ ଗ୍ରାମରେ ନିଆଁ ଲଗାଇ ସମ୍ପୂର୍ଣ୍ଣ ପୋଡ଼ି ଛାରଖାର କରିଦେଇଥିଲେ ।
ଅଧିକ ଶୀତରୁ ରକ୍ଷା ପାଇବାକୁ ମାଟିଆ ବନ୍ଧ ଘାଟିକୁ ଯାଉଥିବା ସମୟରେ ମାଧୋ ସିଂହ ଲୁଚି ରହିଥିବା ଇଂରେଜ ସୈନ୍ୟଙ୍କ ହାତରେ ବନ୍ଦୀ ହୋଇଥିଲେ ।
୧୮୫୮ ମସିହା ଡିସେମ୍ବର ୨୨ ତାରିଖରେ ବିନା ବିଚାରରେ ସମ୍ବଲପୁର କାରାଗାରରେ ବିପ୍ଳବୀ ମାଧୋ ସିଂହଙ୍କୁ ଫାଶୀ ଦିଆଯାଇଥିଲା ।
ମାଧୋ ସିଂହଙ୍କ ବଡ଼ପୁଅ ହଟେସିଂହଙ୍କୁ କଳାପାଣି, ଦ୍ୱିତୀୟ ପୁଅ କୁଞ୍ଜେଲ ସିଂହଙ୍କୁ ଫାଶୀ ଏବଂ ତୃତୀୟ ପୁଅ ବୈରୀ ସିଂହଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଥିଲା ।
ସାନପୁଅ ଐରୀ ସିଂହଙ୍କୁ ଇଂରେଜମାନେ ସାଇବର୍ତ୍ତୀ ଗୁମ୍ଫା ଭିତରେ ରଖି ନିଆଁ ଓ ଧୂଆଁ ଦେଇ ଶ୍ୱାସରୁଦ୍ଧ କରି ହତ୍ୟା କରିଥିଲେ ।
ମାଧୋ ସିଂହ ଏବଂ ତାଙ୍କ ଚାରିପୁଅଙ୍କ ଅତୁଳନୀୟ ଆତ୍ମବଳିଦାନ ୧୮୫୭ ମସିହାର ସିପାହୀ ବିଦ୍ରୋହକୁ ଓଡ଼ିଶା ମାଟିରେ ଅଧିକ ଉଗ୍ର କରିଥିଲା ।