ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସରେ ଓଡ଼ିଶାର ବୀର ସନ୍ତାନ ସହିଦ୍ ମାଧୋ ସିଂହ ଜଣେ ଅଗ୍ରଗଣ୍ୟ ବିପ୍ଳବୀ ଥିଲେ । ତାଙ୍କର ଜନ୍ମ ୧୭୮୬ ମସିହାରେ ଅବିଭକ୍ତ ସମ୍ବଲପୁର ତଥା ବର୍ତ୍ତମାନର ବରଗଡ଼ ଜିଲ୍ଲାର ଘେଁସ ଗ୍ରାମର ଏକ ଜମିଦାର ପରିବାରରେ ହୋଇଥିଲା । ପିଲାଦିନରୁ ସେ ସ୍ୱାଧୀନଚେତା, ସାହସୀ ଓ ଲୋକଦରଦୀ ଥିଲେ । ଗରିବ ପ୍ରଜାମାନଙ୍କ ଉପରେ ବିଦେଶୀ ଶାସକଙ୍କ ଅତ୍ୟାଚାର ଏବଂ ବଳପୂର୍ବକ ଖଜଣା ଆଦାୟକୁ ସେ ସହ୍ୟ କରିପାରୁ ନଥିଲେ । ଫଳରେ ଇଂରେଜ ସରକାର ତାଙ୍କ ବିରୋଧରେ ପରୱାନା ଜାରି କରି ତାଙ୍କର ଜମିଦାରି ବାଜ୍ୟାପ୍ତ କରିଥିଲେ । ତାଙ୍କ ଜାମାତା ତଥା ଛତିଶଗଡ଼ର ଜମିଦାର ନାରାୟଣ ସିଂହ ଦୁର୍ଭିକ୍ଷ ସମୟରେ ଭୋକିଲା ପ୍ରଜାମାନଙ୍କୁ ଶସ୍ୟ ବାଣ୍ଟି ଜେଲ୍ ଯିବା ଘଟଣା ତାଙ୍କୁ ଇଂରେଜ ଶାସନ ବିରୁଦ୍ଧରେ ଆହୁରି ବିଦ୍ରୋହୀ କରିଦେଇଥିଲା ।
ଦେଶରୁ ବିଦେଶୀ ଶାସକଙ୍କୁ ତଡ଼ିବା ପାଇଁ ମାଧୋ ସିଂହ ଦୂରଦୃଷ୍ଟି ରଖି ଆଦିବାସୀ ଯୁବକମାନଙ୍କୁ ସଂଗଠିତ କରିଥିଲେ । ସେ ଘେଁସର ‘ବୁଢ଼ା ରାଜଗୁଡ଼ି’ ବରଗଛ ମୂଳ ପଡ଼ିଆରେ ସେମାନଙ୍କୁ ଧନୁତୀର, ବର୍ଚ୍ଛା, ଖଣ୍ଡା ଆଦି ଚାଳନାର ଯୁଦ୍ଧ କୌଶଳ ଶିଖାଇଲେ । ୧୮୫୭ ମସିହାର ସିପାହୀ ବିଦ୍ରୋହ ସମୟରେ ବୀର ସୁରେନ୍ଦ୍ର ସାଏଙ୍କ ସହ ମିଶି ସେ ସଂଗ୍ରାମକୁ ଆଗେଇ ନେଇଥିଲେ । ସମ୍ବଲପୁରରୁ ନାଗପୁରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଥିବା ସିଂଘୋଡ଼ା ଘାଟି ଓ ନିଶାଘାଟିକୁ ସେ ନିଜ ପୁଅମାନଙ୍କ ସହିତ ମିଶି ଅବରୋଧ କରିଦେଲେ । ବିପ୍ଳବୀମାନେ ପାହାଡ଼ ଉପରୁ ପଥର ଢେଲା ଫିଙ୍ଗି ଇଂରେଜ ସେନାଙ୍କୁ ଛତ୍ରଭଙ୍ଗ ଦେବାକୁ ବାଧ୍ୟ କଲେ । ଏଥିରେ କ୍ରୋଧିତ ହୋଇ ଇଂରେଜମାନେ ଘେଁସ ଗାଁକୁ ପୋଡ଼ି ଛାରଖାର କରିଦେଲେ ସୁଦ୍ଧା ମାଧୋ ସିଂହଙ୍କ ବିପ୍ଳବର ବହ୍ନି ସାରା ଅଞ୍ଚଳରେ ବ୍ୟାପିଯାଇଥିଲା ।
ଜଙ୍ଗଲ ଭିତରେ ଲୁଚି ରହି ସଂଗ୍ରାମ କରୁଥିବା ସମୟରେ ଅତ୍ୟଧିକ ଶୀତରୁ ରକ୍ଷା ପାଇବା ପାଇଁ ‘ମାଟିଆ ବନ୍ଧ ଘାଟି’କୁ ଯାଉଥିବାବେଳେ ମାଧୋ ସିଂହ ଇଂରେଜଙ୍କ ହାତରେ ଧରାପଡ଼ିଲେ । ବିନା ବିଚାରରେ ୧୮୫୮ ମସିହା ଡିସେମ୍ବର ୨୨ ତାରିଖରେ ସମ୍ବଲପୁର କାରାଗାରରେ ତାଙ୍କୁ ଫାଶୀ ଦିଆଗଲା । ତାଙ୍କ ପରେ ତାଙ୍କର ଚାରି ପୁଅ ଏହି ଲଢ଼େଇକୁ ଜାରି ରଖିଲେ । ଇଂରେଜମାନେ ବଡ଼ପୁଅ ହଟେସିଂହଙ୍କୁ କଳାପାଣି ପଠାଇଲେ, ଦ୍ୱିତୀୟ ପୁଅ କୁଞ୍ଜେଲ ସିଂହଙ୍କୁ ଫାଶୀ ଦେଲେ, ତୃତୀୟ ପୁଅ ବୈରୀ ସିଂହଙ୍କୁ ଆଜୀବନ ଜେଲ୍ ଦଣ୍ଡ ଦେଲେ ଏବଂ ସାନପୁଅ ଐରୀ ସିଂହଙ୍କୁ ସାଇବର୍ତ୍ତୀ ଗୁମ୍ଫା ଭିତରେ ଧୂଆଁ ଦେଇ ଶ୍ୱାସରୁଦ୍ଧ କରି ହତ୍ୟା କଲେ । ମାତୃଭୂମିର ମୁକ୍ତି ପାଇଁ ସହିଦ୍ ମାଧୋ ସିଂହ ଓ ତାଙ୍କ ସମଗ୍ର ପରିବାରର ଏହି ଅତୁଳନୀୟ ଆତ୍ମବଳିଦାନ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି ।