‘ମୋ ପିଲାବେଳ କଥା’ ପାଠ୍ୟାଂଶଟି ସ୍ୱାଧୀନତା ସଂଗ୍ରାମୀ ରମାଦେବୀଙ୍କ ଆତ୍ମଜୀବନୀ ‘ଜୀବନ ପଥେ’ ପୁସ୍ତକରୁ ସଂଗ୍ରହ କରାଯାଇଛି ।
ରମାଦେବୀ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ସାନଭାଇ ଗୋପାଳବଲ୍ଲଭ ଦାସଙ୍କ କନ୍ୟା ଥିଲେ ।
ରମାଦେବୀ ନିଜ ପିଲାଦିନରେ ବାପାମାଆ ଓ ଭଉଣୀଙ୍କ ସହିତ ବିହାରର ମୋଜାଫରପୁର ସହରରେ ରହୁଥିଲେ ।
ମୋଜାଫରପୁରରେ ବୋମା ଫୁଟିବା ପରେ ବାପାଙ୍କ ଘନିଷ୍ଠ ବନ୍ଧୁ କିଂସ୍ଫୋର୍ଡ ସାହେବ ତାଙ୍କ ନିକଟକୁ ଖଣ୍ଡିଏ ଚିଠି ପଠାଇଥିଲେ ।
ପଡ଼ୋଶୀ ବଙ୍ଗାଳୀ ଓକିଲ ଯୋଗେଶ ବାବୁଙ୍କ ପିଲାମାନଙ୍କଠାରୁ ରମାଦେବୀ ଓ ତାଙ୍କ ଭଉଣୀ ଦେବବନ୍ଦନା ଗୀତ ଶିଖିଥିଲେ ।
ରମାଦେବୀଙ୍କ ଘରେ ସ୍ୱଦେଶୀ ଦ୍ରବ୍ୟ ବ୍ୟବହାର ସହିତ ବଙ୍ଗଲକ୍ଷ୍ମୀ ମିଲ୍ର ମୋଟା ଲୁଗା ପିନ୍ଧିବାର ନିୟମ ଚାଲିଥିଲା ।
ଘରେ ଦେଶପ୍ରେମୀଙ୍କ ବିଷୟରେ ଚାଲୁଥିବା ଆଲୋଚନାରୁ ରମାଦେବୀ ବିପ୍ଳବୀ ଅରବିନ୍ଦଙ୍କ ଆଦର୍ଶ ପ୍ରତି ଆକୃଷ୍ଟ ହୋଇଥିଲେ ।
ଦେଶ କାମ କରିବାକୁ ହେଲେ ଜେଲ୍ ଯିବାକୁ ଓ ସ୍ୱଦେଶୀ ଜିନିଷ ଆପଣେଇବାକୁ ପଡ଼େ ବୋଲି ତାଙ୍କ ମନରେ ଧାରଣା ଜନ୍ମିଲା ।
ବାପା ଜେଲ୍ ପରିଦର୍ଶନରେ ଯିବା ସମୟରେ ଦୁଇ ଭଉଣୀଙ୍କୁ ସାଙ୍ଗରେ ନେଇ ସେଠାକାର ଅବସ୍ଥା ଦେଖାଉଥିଲେ ।
ଶହୀଦ ଖୁଦିରାମ ବୋଷଙ୍କୁ ଫାଶୀ ହୁକୁମ ହେବା ଖବର ଶୁଣି ରମାଦେବୀଙ୍କ ମନ ଦୁଃଖରେ ଭାରାକ୍ରାନ୍ତ ହୋଇପଡ଼ିଥିଲା ।
ଖୁଦିରାମଙ୍କ ଫାଶୀ ସମୟରେ ଉପସ୍ଥିତ ନ ରହିବା ପାଇଁ ରମାଦେବୀ ତାଙ୍କ ବାପାଙ୍କୁ ଅନୁରୋଧ କରିଥିଲେ ।
ଝିଅର କଥା ଶୁଣି ବାପା ସ୍ନେହରେ ମୁଣ୍ଡରେ ହାତ ବୁଲାଇ ଫାଶୀସ୍ଥଳକୁ ନ ଯିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।
ରମାଦେବୀଙ୍କ ମାଆ ସନ୍ଧ୍ୟାବେଳେ ପିଲାମାନଙ୍କୁ ରାମାୟଣ, ମହାଭାରତ ତଥା ଦେଶର ଐତିହାସିକ ବୀରମାନଙ୍କ ଗପ ଶୁଣାଉଥିଲେ ।
ଘରେ ଥିବା ଛବିବହିରୁ ଶିକ୍ଷାପ୍ରଦ କଥା ଶୁଣି ରମାଦେବୀ ପରଦିନ ତାହା ଲେଖି ନିଜ ମାଆଙ୍କୁ ଦେଖାଉଥିଲେ ।
ପରବର୍ତ୍ତୀ କାଳରେ ରମାଦେବୀ ସ୍ୱାଧୀନତା ଆନ୍ଦୋଳନରେ ଯୋଗଦେଇ ଜଗତସିଂହପୁରଠାରେ ‘ଅଳକା ଆଶ୍ରମ’ ପ୍ରତିଷ୍ଠା କରିଥିଲେ ।