ଭାରତ ଏକ ବିଶାଳ ଗଣତାନ୍ତ୍ରିକ ଦେଶ ଏବଂ ଏହାର ଶାସନ ବ୍ୟବସ୍ଥା ସାର୍ବଜନୀନ ସାବାଳକ ମତଦାନ ଉପରେ ଆଧାରିତ। ସମ୍ବିଧାନ ଅନୁସାରେ ୧୮ ବର୍ଷ ବା ତଦୁର୍ଦ୍ଧ୍ୱ ବୟସର ପ୍ରତ୍ୟେକ ଭାରତୀୟ ନାଗରିକଙ୍କୁ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ଶିକ୍ଷା ଓ ଆର୍ଥିକ ସ୍ଥିତି ନିର୍ବିଶେଷରେ ମତଦାନ କରିବାର ସମାନ ଅଧିକାର ପ୍ରଦାନ କରାଯାଇଛି। ପ୍ରତ୍ୟେକ ନାଗରିକଙ୍କର ଗୋଟିଏ ଭୋଟ୍ ଏବଂ ସବୁ ଭୋଟ୍ର ମୂଲ୍ୟ ସମାନ। ସ୍ୱାଧୀନତା ପୂର୍ବରୁ ସମସ୍ତଙ୍କୁ ଏହି ଅଧିକାର ମିଳି ନଥିବା ବେଳେ ସ୍ୱାଧୀନ ଭାରତରେ ମହିଳାମାନଙ୍କ ସମେତ ସମସ୍ତ ଯୋଗ୍ୟ ନାଗରିକଙ୍କୁ ପ୍ରଥମରୁ ହିଁ ଏହି ସୁଯୋଗ ଦିଆଯାଇଛି।
ଦେଶରେ ସ୍ୱାଧୀନ, ଅବାଧ ଓ ସ୍ୱଚ୍ଛ ନିର୍ବାଚନ ପରିଚାଳନା କରିବା ପାଇଁ ୧୯୫୦ ମସିହାରେ ଏକ ସ୍ୱାଧୀନ ସାମ୍ବିଧାନିକ ସଂସ୍ଥା ଭାବେ ‘ଭାରତର ନିର୍ବାଚନ ଆୟୋଗ’ ପ୍ରତିଷ୍ଠିତ ହୋଇଥିଲା। ନିର୍ବାଚନ ତାରିଖ ସ୍ଥିର କରିବା, ଭୋଟର ତାଲିକା ପ୍ରସ୍ତୁତ କରିବା, ରାଜନୈତିକ ଦଳମାନଙ୍କୁ ସ୍ୱୀକୃତି ଓ ସଙ୍କେତ ପ୍ରଦାନ କରିବା ଏବଂ ଆଦର୍ଶ ଆଚରଣ ବିଧି ଲାଗୁ କରିବା ଏହି ଆୟୋଗଙ୍କର ମୁଖ୍ୟ କାର୍ଯ୍ୟ। ନିର୍ବାଚନ ପ୍ରକ୍ରିୟାକୁ ସୁଗମ କରିବା ପାଇଁ ବୟସ୍କ ଓ ଦିବ୍ୟାଙ୍ଗ ମତଦାତାଙ୍କ ପାଇଁ ଘରେ ବସି ଭୋଟ୍ ଦେବା, ବ୍ରେଲି ବାଲଟ୍, ହୁଇଲ୍ ଚେୟାର୍ ଭଳି ସୁବିଧା ଏବଂ ଇଭିଏମ୍ ଓ ଭିଭିପାଟ୍ ଭଳି ଆଧୁନିକ ଜ୍ଞାନକୌଶଳର ବ୍ୟବହାର କରାଯାଉଛି।
ଭାରତରେ ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ପ୍ରତ୍ୟକ୍ଷ ଭାବେ ଜନସାଧାରଣଙ୍କ ଭୋଟ୍ ଦ୍ୱାରା ଅନୁଷ୍ଠିତ ହୋଇଥାଏ। ଏଠାରେ ସର୍ବାଧିକ ଭୋଟ୍ ପାଇଥିବା ପ୍ରାର୍ଥୀ ବିଜୟୀ ହୁଅନ୍ତି। ଅନ୍ୟପକ୍ଷରେ, ରାଜ୍ୟସଭା ସାଂସଦମାନେ ରାଜ୍ୟ ବିଧାନସଭାର ନିର୍ବାଚିତ ବିଧାୟକମାନଙ୍କ ଦ୍ୱାରା ପରୋକ୍ଷ ପଦ୍ଧତିରେ ନିର୍ବାଚିତ ହୁଅନ୍ତି। ସେହିପରି ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ମଧ୍ୟ ଜନସାଧାରଣଙ୍କ ଦ୍ୱାରା ସିଧାସଳଖ ନିର୍ବାଚିତ ନ ହୋଇ ସାଂସଦ ଓ ବିଧାୟକମାନଙ୍କୁ ନେଇ ଗଠିତ ନିର୍ବାଚକ ମଣ୍ଡଳୀ ଦ୍ୱାରା ପରୋକ୍ଷ ଭାବେ ନିର୍ବାଚିତ ହୋଇଥାନ୍ତି। ଯଦି କୌଣସି ଭୋଟର ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀଙ୍କ ମଧ୍ୟରୁ କାହାକୁ ପସନ୍ଦ ନ କରନ୍ତି, ତେବେ ସେମାନଙ୍କ ପାଇଁ ‘ନୋଟା’ ବା ‘କେହି ପସନ୍ଦ ନୁହନ୍ତି’ ବିକଳ୍ପ ରହିଛି।
ଆମ ନିର୍ବାଚନ ବ୍ୟବସ୍ଥାରେ ଧର୍ମର ପ୍ରଭାବ, ଅପରାଧିକ ପୃଷ୍ଠଭୂମି ଥିବା ପ୍ରାର୍ଥୀ ଏବଂ ସହରାଞ୍ଚଳରେ ମତଦାତାଙ୍କ ବୀତସ୍ପୃହ ମନୋଭାବ ଭଳି କେତେକ ଆହ୍ୱାନ ମଧ୍ୟ ରହିଛି। ଏକ ସୁସ୍ଥ ଗଣତନ୍ତ୍ର ଗଠନ ପାଇଁ ସଚେତନତା ଓ ଦାୟିତ୍ୱପୂର୍ଣ୍ଣ ମତଦାନ ଅତ୍ୟନ୍ତ ଆବଶ୍ୟକ। ଉପଯୁକ୍ତ ପ୍ରଶ୍ନ ପଚାରି ଯୋଗ୍ୟ ପ୍ରତିନିଧି ବାଛିବା ଏବଂ ନିଜ ମତାଧିକାର ସାବ୍ୟସ୍ତ କରିବା ପ୍ରତ୍ୟେକ ନାଗରିକଙ୍କର ପରମ କର୍ତ୍ତବ୍ୟ ଅଟେ।