‘ମାତୃଭୂମି’ କବିତାର ରଚୟିତା ହେଉଛନ୍ତି ଓଡ଼ିଆ ସାହିତ୍ୟର ଯଶସ୍ୱୀ ସ୍ରଷ୍ଟା ସ୍ୱଭାବକବି ଗଙ୍ଗାଧର ମେହେର ।
ସ୍ୱଭାବକବି ଗଙ୍ଗାଧର ମେହେର ୧୮୬୨ ମସିହାରେ ବରଗଡ଼ ଜିଲ୍ଲାର ବରପାଲି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।
କବି ଗଙ୍ଗାଧର ମେହେରଙ୍କ ପିତାଙ୍କ ନାମ ଚୈତନ୍ୟ ମେହେର ଏବଂ ମାତାଙ୍କ ନାମ ସେବତୀ ଦେବୀ ଥିଲା ।
‘ମାତୃଭୂମି’ ଶୀର୍ଷକ କବିତାଟି ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ରଚିତ ‘ଅର୍ଘ୍ୟଥାଳି’ କବିତା ସଂକଳନରୁ ଆନୀତ ହୋଇଛି ।
ଏହି କବିତାଟି ସର୍ବପ୍ରଥମେ ୧୯୧୪ ମସିହା ଡିସେମ୍ବର ମାସରେ ପ୍ରସିଦ୍ଧ ‘ଉତ୍କଳ ସାହିତ୍ୟ’ ପତ୍ରିକାରେ ପ୍ରକାଶିତ ହୋଇଥିଲା ।
ଶୈଶବ କାଳରେ ବାଳକ ପଡ଼ୋଶୀଙ୍କ ଘର ବୁଲିବା ବେଳେ ସେଗୁଡ଼ିକୁ ନିଜ ସାଙ୍ଗମାନଙ୍କ ଘର ବୋଲି ଭାବିଥାଏ ।
ବାଳକ ନିଜ ପଡ଼ାରୁ ଅନ୍ୟ ପଡ଼ାକୁ ଯିବା ସମୟରେ ପଡ଼ୋଶୀ ପଡ଼ାକୁ ଆପଣାର ବୋଲି ମନେ କରିଥାଏ ।
ନିଜ ଗ୍ରାମ ଛାଡ଼ି ଅନ୍ୟ ଗ୍ରାମକୁ ଗଲାବେଳେ ବାଳକ ନିଜ ଗ୍ରାମର ନଦୀ, ପୁଷ୍କରିଣୀ ଓ ବଗିଚାକୁ ଭଲପାଇଥାଏ ।
ବଡ଼ ହୋଇ ଅନ୍ୟ ରାଜ୍ୟ ଭ୍ରମଣ କରିବା ସମୟରେ ମଣିଷ ନିଜ ରାଜା ଓ ପ୍ରଜାଙ୍କ ଶ୍ରେଷ୍ଠତା ବଖାଣିଥାଏ ।
ମଣିଷ ନିଜ ରାଜ୍ୟକୁ ସକଳ ସୁଖର ଆକର ତଥା ଏହାର ପ୍ରତ୍ୟେକ ଜୀବଜନ୍ତୁଙ୍କୁ ଉତ୍କୃଷ୍ଟ ବୋଲି ବିଚାର କରେ ।
ଦେଶାନ୍ତର ବା ବିଦେଶ ଭ୍ରମଣ କଲାବେଳେ ମଣିଷ ନିଜ ଜନ୍ମଭୂମିକୁ ସ୍ୱର୍ଗଠାରୁ ମଧ୍ୟ ଅଧିକ ଶ୍ରେଷ୍ଠ ବୋଲି ବୁଝିପାରେ ।
ପ୍ରକୃତ ଜ୍ଞାନ ଲାଭ କଲେ ମଣିଷ ଭଗବାନଙ୍କୁ ସମସ୍ତଙ୍କ ପିତା ଭାବି ସମଗ୍ର ମାନବ ସମାଜକୁ ସହୋଦର ମଣିଥାଏ ।
ଯେଉଁ ବ୍ୟକ୍ତି ସଂସାରରେ ଅନ୍ୟର ଯେତେ ଉପକାର କରେ, ସେ ବିଶ୍ୱପତିଙ୍କର ସେତିକି ଯୋଗ୍ୟ ସନ୍ତାନ ଅଟେ ।
ମାନବ ଜୀବନର କ୍ରମବିକାଶରେ ଗ୍ରାମ, ରାଜ୍ୟ ଓ ଦେଶର ଭାବନା ପରେ ବିଶ୍ୱଭ୍ରାତୃତ୍ୱ ଭାବନା ପ୍ରକାଶ ପାଇଥାଏ ।
ଯାହା ହୃଦୟରେ ମାତୃଭୂମି ଓ ମାତୃଭାଷା ପ୍ରତି ମମତା ନାହିଁ, ତାହାକୁ ଜ୍ଞାନୀ ନୁହେଁ ବରଂ ପ୍ରକୃତ ଅଜ୍ଞାନୀ କୁହାଯାଏ ।